ୟୁପି ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ୫୬ ପ୍ରାର୍ଥୀ ଘୋଷଣା କଲା ସମାଜବାଦୀ ପାର୍ଟି

ଲକ୍ଷ୍ନୌ,ଏଜେନ୍ସି: ଆସନ୍ତା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଆଜି (ଗୁରୁବାର) ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ଦ୍ବିତୀୟ ପର୍ଯ୍ୟାୟରେ କିଛି ବରିଷ୍ଠ ଚେହେରାଙ୍କ ସହ ମୋଟ ୫୬ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ରାମ ଅଚଲ ରାଜଭାର, ଲାଲଜୀ ବର୍ମା, ବାହୁଜନ ସମାଜବାଦୀ ପାର୍ଟି ପୂର୍ବତନ ନେତା ରାକେଶ ପାଣ୍ଡେଙ୍କ ପରି ବରିଷ୍ଠ ନେତାଙ୍କ ଟିକେଟ ଓ ଆସନ ଚୂଡାନ୍ତ କରିଛି ସପା।

ସେହିପରି ପୂର୍ବାଞ୍ଚଳ (ପୂର୍ବ ଉତ୍ତର-ପ୍ରଦେଶ)ରେ ଦଳ ପ୍ରମୁଖ ବ୍ରାହ୍ମଣ ସମ୍ପ୍ରଦାୟ ନେତା ହରିଶଙ୍କର ତିୱାରୀଙ୍କ ପୁଅ ବିନୟ ଶଙ୍କର ତିୱାରୀଙ୍କୁ ପ୍ରାର୍ଥୀ ଭାବେ ମୈଦାନରେ ଲଢାଇବାକୁ ନିଷ୍ପତ୍ତି ନେଇଛି। ଲକ୍ଷ୍ମୀପୁର ଜିଲ୍ଲାର ଧୌରାହରୁ ଦଳ ବରୁଣ ଚୌଧୁରୀଙ୍କୁ ପ୍ରାର୍ଥୀ କରିଛି। ବାରବାଙ୍କି ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ମନ୍ତ୍ରୀ ବେନି ପ୍ରସାଦ ବର୍ମାଙ୍କ ପୁଅ ରାକେଶ ବର୍ମାଙ୍କୁ ପ୍ରାର୍ଥୀ ଭାବେ ସୁଯୋଗ ଦେଇଛି ଦଳ।

ଉଲ୍ଲେଖନୀୟ ବିଷୟ ହେଉଛି, ରାଜ୍ୟରେ ପ୍ରମୁଖ ଓବିସି ଚେହେରା ଏବଂ ନିକଟରେ ବିଜେପି ଛାଡି ସପାରେ ସାମିଲ ହୋଇଥିବା ପୂର୍ବତନ ମନ୍ତ୍ରୀ ଦାରା ସିଂ ଚୌହାନଙ୍କୁ ମାଉଘୋସି ଆସନରୁ ଟିକେଟ ମିଳିଛି। ସେହିପରି ଫୈଜାବାଦରେ ଗୋସାଇଗଞ୍ଜ ଏବଂ ଆମ୍ବେଦକର ନଗରର କାତହେରି ଭଳି ଗୁରୁତ୍ୱପୂର୍ଣ୍ଣ ଆସନରେ ଅଭୟ ସିଂ ଏବଂ ବିଏସପିର ପୂର୍ବତନ ନେତା ଲାଲଜୀ ବର୍ମାଙ୍କୁ ପ୍ରାର୍ଥୀ ଭାବେ ସୁୁଯୋଗ ଦେଇଛି ଦଳ।

ସେହିଭଳି ପୂର୍ବତନ ମନ୍ତ୍ରୀ ରାମ ଅଚଲ ରାଜଭାରଙ୍କୁ ମଧ୍ୟ ଆକବରପୁରରୁ ଲଢାଇବ ଦଳ। ଅନ୍ୟପକ୍ଷରେ ଜଲାଲପୁର ଆସନରେ ଦଳ ପୂର୍ବତନ ବିଏସପି ମନ୍ତ୍ରୀ ରାକେଶ ପାଣ୍ଡେଙ୍କୁ ଟିକେଟ ଦେଇଛି। ସେହିପରି ବରିଷ୍ଠ ଏସପି ନେତା ତଥା ପୂର୍ବତନ ମନ୍ତ୍ରୀ ଓମ ପ୍ରକାଶ ସିଂଙ୍କୁ ଗାଜୀପୁର ଜିଲ୍ଲା ଅନ୍ତର୍ଗତ ଜାମାନିଆ ଆସନରୁ ପ୍ରାର୍ଥୀ କରିଛି ଦଳ।