ଉତ୍ତର ପ୍ରଦେଶରେ ହ୍ରାସ ପାଇଛି ଅପରାଧ, ଯୋଗୀ ସରକାର ଦେଲେ ୯ ବର୍ଷର ତଥ୍ୟ

ଲଖନଉ,ଏଜେନ୍ସି: ଗତ ୯ ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶରେ ଅପରାଧ ବହୁ ପରିମାଣରେ ହ୍ରାସ ପାଇଥିବା ନେଇ ଯୋଗୀ ସରକାର ତଥ୍ୟ ପ୍ରଦାନ କରିଛନ୍ତି। ବିରୋଧୀ ଦଳର ନେତାମାନେ ରାଜ୍ୟରେ ଅପରାଧ ମାମଲା ବଢ଼ିଚାଲିଥିବା ନେଇ ଅଭିଯୋଗ କରୁଥିବାରୁ ଏହି ତଥ୍ୟ ପ୍ରକାଶ ହୋଇଥିବା ଗୃହ ବିଭାଗର ମୁଖପାତ୍ର କହିଛନ୍ତି। ଏଥିସହ କହିଛନ୍ତି ଯେ ୯ ବର୍ଷର ତଥ୍ୟ ଅନୁସାରେ ବର୍ତ୍ତମାନ ସରକାରଙ୍କ କାର୍ଯ୍ୟକାଳରେ ଅପରାଧ ଘଟଣା ହ୍ରାସ ପାଇଛି। ଅପରାଧ ଓ ଦୁର୍ନୀତି ବିରୋଧରେ ସରକାର ‘ଶୂନ୍ୟ ସଂହିତା’କୁ ଗ୍ରହଣ କରିଛନ୍ତି।

ଡକାୟତି ମାମଲାରେ ୨୦୧୬ ତୁଳନାରେ ୨୦୨୦ରେ ୭୪ ଓ ୨୦୧୨ ତୁଳନାରେ ୭୪.୬୭ ପ୍ରତିଶତ ହ୍ରାସପାଇଛି। ସେହିଭଳି ଏହି ବର୍ଷଗୁଡ଼ିକ ତୁଳନାରେ ଲୁଟ ମାମଲା କ୍ରମଶଃ ୬୫.୨୯ ପ୍ରତିଶତ ଓ ୫୪.୨୫ ପ୍ରତିଶତ ହ୍ରାସ ପାଇଛି। ହତ୍ୟା ମାମଲାରେ ୨୬.୪୩ ପ୍ରତିଶତ ଏବଂ ୨୯.୭୪ ପ୍ରତିଶତ କମ ହୋଇଛି। ଗୃହ ବିଭାଗର ମୁଖପାତ୍ରଙ୍କ ଅନୁସାରେ ଦୁଷ୍କର୍ମ ମାମଲା ୨୦୧୩ ତୁଳନାରେ ୨୦୨୦ରେ ୨୫.୯୪ ପ୍ରତିଶତ ଏବଂ ୨୦୧୬ ତୁଳନାରେ ୩୮.୭୪ ପ୍ରତିଶତ ଏବଂ ୨୦୧୯ ତୁଳନାରେ ୨୮.୧୩ ପ୍ରତିଶତ କମ ହୋଇଛି। ସେ କହିଛନ୍ତି ଯେ, ପୋକ୍ସୋ ଆଇନ ମଜବୁତ ହୋଇଯିବା ଫଳରେ ୨୦୧୯ରୁ ଚଳିତ ବର୍ଷ ଜୁନ ଯାଏଁ ୯୨୨ ଜଣ ଅଭିଯୁକ୍ତଙ୍କୁ ଜେଲ ଦଣ୍ଡ ହୋଇଛି।