ଗୁଣିଆ ସନ୍ଦେହରେ ପିଟିପିଟି ହତ୍ୟା

ମାଲକାନଗିରି,୩୦ା୮/ଏନ୍ଏନ୍ଏସ୍: ସ୍ୱାଧୀନତାର ଦୀର୍ଘ ଦଶନ୍ଧୀ ପରେ ବି ଓଡ଼ିଶାର ଅନେକ ଅଞ୍ଚଳରେ ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର ହୋଇପାରିନାହିଁ। ପରିଣାମରେ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୋଟେରୁ ଫାଣ୍ଡି ଅନ୍ତର୍ଗତ ଓରେଲଗୁଡ଼ା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଗୁଣିଆ ସନ୍ଦେହ କରି ପିଟିପିଟି ହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ଜଗା କବାସି। ଜଗାଙ୍କ ବୟସ ୪୦ ବର୍ଷ। ଖବର ନେବାରୁ ଜଣାପଡ଼ିଛି ଯେ, ଓରେଲଗୁଡ଼ାର ଦେବା ୱାଞ୍ଜାମୀ ଗତ କିଛିଦିନ ଧରି ଅସୁସ୍ଥ ଥିଲେ। ଗତ ୩ ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ରୋଗ ଯୋଗୁଁ ଦେବାଙ୍କ ମୃତ୍ୟୁ ହୋଇଛି ବୋଲି ତାଙ୍କ ପରିବାର ଲୋକେ ବିଶ୍ୱାସ କରିପାରୁ ନଥିଲେ। ଜଗା ଗୁଣି କରି ଦେବାଙ୍କୁ ମାରି ଦେଇଥିବା ପରିବାର ଲୋକେ ସନ୍ଦେହ କରି ଆସୁଥିଲେ। ପରିଣାମରେ ଗତକାଲି ଦେବାଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ଜଗାଙ୍କୁ ତାଙ୍କ ଘର ଭିତରୁ ଜୋର ଜବରଦସ୍ତ ଭିଡ଼ି ଆଣି ଠେଙ୍ଗାରେ ମାଡ଼ ମାରିଥିଲେ। ଲୋକଙ୍କ ମିଳିତ ଆକ୍ରମଣରେ ଜଗାଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ମୃତକଙ୍କ ପରିବାର ଲୋକେ କାଲିମେଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରି ଦେବାର ପୁଅ ଇର୍ମା ୱାଞ୍ଜାମୀଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଜାରିରଖିଛନ୍ତି।