୩ ବର୍ଷର ଶିଶୁକୁ ଅପ୍ରାକୃତିକ ଯୌନ ନିର୍ଯାତନା: ଯୁବକ ଗିରଫ

ବଲାଙ୍ଗିର, ଏନ୍ଏନ୍ଏସ୍: ବଲାଙ୍ଗିର ସହରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ୩ ବର୍ଷର ଶିଶୁ ସହ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିବା ଅଭିଯୋଗରେ ଜଣେ ଯୁବକକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ଉତ୍ତରପ୍ରଦେଶର ଅବନିଶ ନାଏକ(୧୯) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଅବନିଶଙ୍କ ଭଉଣୀ ଓ ଭିଣୋଇ ବଲାଙ୍ଗିରରେ ରହି ଚୁଡି ବ୍ୟବସାୟ କରନ୍ତି । ସେମାନେ ସହରରେ ଏକ ଭଡ଼ା ଘର ନେଇ ରହୁଛନ୍ତି ।

ତେବେ ଅବନିଶ କିଛିଦିନ ହେଲା ବଲାଙ୍ଗିର ବୁଲିବାକୁ ଆସି ତାର ଭଉଣୀ ଘରେ ରହୁଥିଲା । ଉଭଣୀ ଭଡା ରହୁଥିବା ଘରର ମାଲିକଙ୍କ ୩ ବର୍ଷ ଶିଶୁ ସହିତ ଅବନିଶ ମିଳାମିଶା କରୁଥିଲା । ଘରେ କେହି ନଥିବାରୁ ସୁଯୋଗ ନେଇ ଅବନିଶ ଖେଳୁଥିବା ଶିଶୁକୁ ଘର ଭିତରକୁ ନେଇ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିଥିଲା । ତେବେ ଶିଶୁଟି କାନ୍ଦିବାରୁ ଅବନିଶ ଫେରାର ହୋଇ ଯାଇଥିଲା । ଶିଶୁଟି କାନ୍ଦିକାନ୍ଦି ମା’କୁ ଘଟଣା ସମ୍ପର୍କରେ କହିଥିଲା। ଏହାକୁ ନେଇ ପରିବାରଲୋକେ ଟାଉନଥାନାକୁ ଆସି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରି ଫେରାର ଥିବା ଅଭିଯୁକ୍ତକୁ ଗିରଫ କରିଛି।