ଉନ୍ନାଓ ଦୁଷ୍କର୍ମ ମାମଲା: ପୂର୍ବତନ ବିଧାୟକ ସେନେଗରଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀର ଏକ କୋର୍ଟରେ ଶୁକ୍ରବାର ବିଜେପିର ପୂର୍ବତନ ବିଧାୟକ କୁଳଦୀପ ସିଂ ସେନେଗରଙ୍କୁ ଉନ୍ନାଓ  ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଜିଲ୍ଲା ଜଜ୍ ଧର୍ମେଶ ଶର୍ମା ଏହି ରାୟ ଶୁଣାଇବା ସହିତ ୨୫ଲକ୍ଷ ଟଙ୍କାର ଜୋରିମାନା ଓ ପୀଡ଼ିତାକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୋକ୍ସୋ ଆକ୍ଟ ଆଧାରରେ ସୋମବାର ଦିନ କୋର୍ଟରେ ସେନେଗର ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଆଜି ତାଙ୍କ ପାଇଁ ଦଣ୍ଡର ଶୁଣାଣି ହୋଇଛି। ତେବେ ଏହି ମାମଲାଟି ହାଇକୋର୍ଟର ନିର୍ଦ୍ଦେଶ ଅନୁସାରେ ଲକ୍ଷେ୍ନø କୋର୍ଟରୁ ଦିଲ୍ଲୀର ତିସହଜାରୀ କୋର୍ଟରେ ଏହି ଶୁଣାଣି ପ୍ରତିଦିନ ଚାଲିଥିଲା।

ସୂଚନା ଅନୁସାରେ ବିଧାୟକ କୁଳଦୀପ ଏବଂ ତାଙ୍କ ସହଯୋଗୀମାନେ ୨୦୧୭ ଜୁଲାଇ ୧୭ରେ ଜଣେ ନାବାଳିକାଙ୍କୁ ଚାକିରି ଦେବା ବାହାନାରେ ଗଣବଳାତ୍କାର କରିଥିଲେ ବୋଲି ପୀଡ଼ିତା ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗୁହାରୀ କରିଥିଲେ। ଗଣବଳାତ୍କାର ଅଭିଯୋଗ ପ୍ରତ୍ୟାହାର କରିବାକୁ ଅଭିଯୁକ୍ତମାନେ ତାଙ୍କ ଉପରେ ଚାପ ପକାଉଥିଲେ। ଏଥିରେ ରାଜି ନ ହେବାରୁ ବିଧାୟକଙ୍କ ଭାଇ ଅତୁଲ ଓ ତାଙ୍କ ସହଯୋଗୀମାନେ ୨୦୧୮ ଏପ୍ରିଲ ୩ରେ ତାଙ୍କ ବାପାଙ୍କୁ କୋର୍ଟ ଯିବା ବାଟରେ ନିସ୍ତୁକ ମାଡ଼ ମାରିଥିଲେ। ଏ ନେଇ ମାଖି ଥାନାରେ ଏପ୍ରିଲ ୪ରେ ଏତଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନେ ମଧ୍ୟ ପୀଡ଼ିତାଙ୍କ ବାପାଙ୍କ ବିରୋଧରେ ଥାନାରେ ପାଲଟା ଅଭିଯୋଗ କରିଥିଲେ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଧାୟକ କୁଳଦୀପଙ୍କ ବିରୋଧରେ ପୁଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନା କରିବାରୁ ପୀଡ଼ିତା ଏବଂ ତାଙ୍କ ପିତା ଏପ୍ରିଲ ୬ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କ ଏହି ଉଦ୍ୟମ ପଣ୍ଡ କରିବା ସହ ପୀଡ଼ିତାଙ୍କ ପିତାଙ୍କୁ ଗିରଫ କରି ହାଜତକୁ ନେଇଥିଲା। ଜେଲ୍‌ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏପ୍ରିଲ ୮ରେ ତାଙ୍କୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏପ୍ରିଲ ୯ରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ରାଜ୍ୟରେ ବିଭିନ୍ନ ମହଲରେ ବିରୋଧ ପ୍ରଦର୍ଶନ କରାଯିବାରୁ ସେନଗରଙ୍କ ଭାଇ ଅତୁଲ ସିଂହ ସେନଗରଙ୍କୁ ପୁଲିସ ଗିରଫ କରିଥିଲା। ଚାରି ଆଡୁ ସମାଲୋଚନାର ଶିକାର ହେବା ପରେ ରାଜ୍ୟ ସରକାର ସିବିଆଇକୁ ତଦନ୍ତ ଦାୟିତ୍ଵ ଦେଇଥିଲା। ସିବିଆଇ ଏକାଧିକ ଥର ସେନେଗାରଙ୍କୁ ଜେରା କରିବା ପରେ ଶେଷରେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ୨୦୧୮ ଏପ୍ରିଲ ୧୪ରେ ଗିରଫ କରିଥିଲା। ଏହା ପରେ ସିବିଆଇ ପକ୍ଷରୁ ୨୦୧୮ ଜୁଲାଇ ୧୧ରେ ସେନଗାରଙ୍କ ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇଥିଲା। ପୀଡ଼ିତାଙ୍କ ବାପାଙ୍କୁ ହତ୍ୟା ମାମଲାରେ ସିବିଆଇ ବିଧାୟକଙ୍କ ଭାଇ ସମେତ ୫ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା। ଏହା ପରେ ଜୁଲାଇ ୨୮ରେ ପୀଡ଼ିତା ତାଙ୍କ ସମ୍ପର୍କୀୟ ଏବଂ ଓକିଲଙ୍କ ସହିତ କାରରେ ରାଏବରେଲୀ ଯାଉଥିବାବେଳେ ତାଙ୍କୁ ଟ୍ରକ୍‌ ଚଢ଼ାଇ ହତ୍ୟା ଉଦ୍ୟମ କରାଯାଇଥିଲା। ଏଥିରେ ତାଙ୍କର ୨ ଜଣ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ମଧ୍ୟ ସେନେଗାରଙ୍କ ସମେତ ୧୦ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।