ପୁଣି ଚର୍ଚ୍ଚାରେ ଉନ୍ନାଓ : ଜାମିନରେ ଆସି ଅଭିଯୁକ୍ତମାନେ ଏମିତି କଲେ….

ଲକ୍ଷ୍ନୌ: ପୁଣି ଥରେ ଚର୍ଚ୍ଚାକୁ ଆସିଛି ଉତ୍ତରପ୍ରଦେଶର ଉନ୍ନାଓ। ହାଇଦ୍ରାବାଦରେ ଜଣେ ପ୍ରାଣୀ ଚିକିତ୍ସିକାଙ୍କୁ ଗଣବଳାତ୍କାର ପରେ ପୋଡ଼ି ହତ୍ୟା କରାଯିବା ଘଟଣା ମନରୁ ଲିଭି ନ ଥିବାବେଳେ ଉନ୍ନାଓରେ ଗୁରୁବାର ଅନୁରୂପ ଘଟଣା ଦେଖିବାକୁ ମିଳିଛି। ଜଣେ ଗଣବଳାତ୍କାର ପୀଡ଼ିତାଙ୍କୁ ସ୍ପଷ୍ଟ ଦିବାଲୋକରେ ଅଭିଯୁକ୍ତମାନେ ଜୀବନ୍ତ ଜାଳିଦେବାକୁ ଉଦ୍ୟମ କରିଛନ୍ତି। ଜାମିନରେ ଆସି ଅଭିଯୁକ୍ତମାନେ ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ଶରୀରର ଅଧିକାଂଶ ଭାଗ ପୋଡ଼ିଯାଇଛି।

ଉନ୍ନାଓର ବିହାର ଥାନା ଅଞ୍ଚଳର ୨୩ ବର୍ଷୀୟା ଏହି ପୀଡ଼ିତା ଜଣକ ଗତ ମାର୍ଚ୍ଚରେ ଗଣବଳାତ୍କାରର ଶିକାର ହୋଇଥିଲେ। ଏ ନେଇ ସେ ୫ ଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ୩ ଜଣଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ମାମଲାର ଶୁଣାଣି ଚାଲିଥିବାବେଳେ ଗୁରୁବାର ପୀଡ଼ିତା କୋର୍ଟ ଆସୁଥିଲେ। ଏଥିପାଇଁ ସେ ଗୁରୁବାର ଭୋର ସମୟରେ ରାୟବରେଲୀ ଯିବା ଲାଗି ବୈସୱାରା ବିହାର ରେଳ ଷ୍ଟେଶନକୁ ଆସୁଥିଲେ। କିନ୍ତୁ ଗାଁଠୁ ଅଳ୍ପ ଦୂରରେ ତାଙ୍କ ଗାଁର ହରିଶଙ୍କର ତ୍ରିବେଦୀ, କିଶୋର ଶୁଭମ, ଶିବମ ଏବଂ ଉମେଶ ନାମକ ଯୁବକ ତାଙ୍କୁ ଘେରି ଯାଇଥିଲେ। ବଳାତ୍କାର ନେଇ କ’ଣ ପାଇଁ ଅଭିଯୋଗ କରିଥିଲୁ କହି ସେମାନେ ପ୍ରଥମେ ଏକ ଠେଙ୍ଗାରେ ତାଙ୍କ ମୁଣ୍ଡକୁ ପିଟିଦେବା ସହିତ ତଣ୍ଟିକୁ ଛୁରିରେ ଆକ୍ରମଣ କରିଥିଲେ। ସେ ତଳେ ପଡ଼ିଯିବା ପରେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଚାଲିଆସିବାରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ ବୋଲି ପୀଡ଼ିତା ବୟାନ ଦେଇଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରୁ ୨ ଅଭିଯୁକ୍ତ ଜାମିନରେ ଆସିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି।