ଆଜିଠାରୁ ରାଜ୍ୟରେ ଅନଲକ ୩.୦ର ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୀର୍ଘଦିନର କରୋନା କଟକଣା ପରେ ଆଜିଠାରୁ ଅନଲକ ୩.୦ର କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିରେ ଆଜିଠାରୁ ଭୋର ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦୀର୍ଘ ୧୬ ଘଣ୍ଟା ଲୋକମାନେ ଚଳଚଞ୍ଚଳ କରିପାରିବେ। ସେହିପରି ରାତ୍ରି କାଳୀନ କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟରେ ସାଧାରଣ ଆତଯାତ ବନ୍ଦ ରହିବା ବେଳେ କେବଳ ଅତ୍ୟାବଶ୍ୟକୀୟ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ଯାଆ’ଆସ କରିପାରିବେ।

ସେହିପରି କଣ୍ଟେନମେଣ୍ଟ ଜୋନରେ ଲକଡାଉନ ସମ୍ପୂର୍ଣ୍ଣ ଲାଗୁ ହେବ। କଣ୍ଟେନମେଣ୍ଟ ଜୋନ ଉପରେ ଅବାଧ ପ୍ରବେଶ ଉପରେ କଟକଣା ଲାଗୁ ରହିବ। ଅଗଷ୍ଟ ୩୧ ପର୍ଯ୍ୟନ୍ତ ଧାର୍ମିକ ଅନୁଷ୍ଠାନ ଲୋକଙ୍କ ପାଇଁ ବନ୍ଦ ରହିବ। ଏଥିସହ ଅର୍ନ୍ତଜାତୀୟ ବିମାନ ଚଳାଚଳ, ସିନେମା ହଲ, ସୁଇମିଂ ପୁଲ ବନ୍ଦ ରହିବ। ଥିଏଟର, ସଭାଗୃହ ଓ ସାମାଜିକ ରାଜନୈତିକ କାର୍ଯ୍ୟ ଉପରେ ମଧ୍ୟ କଟକଣା ବଳବତ୍ତର ରହିବ। ଏହି ସମୟରେ ଲୋକମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଯଦି କେହି କୋଭିଡ କଟକଣା ନିୟମର ଉଲ୍ଲଂଘନ କରନ୍ତି, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ସହ ଭାରି ଜୋରିମାନା କଟାଯିବ।