ଅନଲକ ୧.୦ରେ ଆଜିଠାରୁ ଦେଶରେ ଖୋଲିବ ମଲ, ହୋଟେଲ ଓ ଧାର୍ମିକସ୍ଥଳୀ

ନୂଆଦିଲ୍ଲୀ,ଏଜେନ୍ସି: ଅନଲକ ୧.୦ର ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ଦେଶର ବିଭିନ୍ନ ସ୍ଥାନରେ ଥିବା ମଲ, ହୋଟେଲ ଓ ଧାର୍ମିକସ୍ଥଳୀ ଖୋଲିବ। ଏ ନେଇ ମେ’୩୦ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି ହୋଇଥିଲା।

ତେବେ ଏହି ସମୟରେ ସମସ୍ତେ ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ ପିନ୍ଧିବେ। ସେହପରି ଏଭଳି ସ୍ଥାନକୁ ଯାଉଥିବା ଲୋକମାନେ ଆରୋଗ୍ୟ ସେତୁରେ ପଞ୍ଜିକରଣ କରିବା ନିହାତି ଆବଶ୍ୟକ ବୋଲି କୁହାଯାଇଛି। ସେହିପରି ଯେଉଁମାନେ ଧାର୍ମିକ ସ୍ଥଳୀ ଯାଉଥିବେ ସେମାନେ ଦେବାଦେବୀଙ୍କ ଦର୍ଶନ ପାଇଁ ଧାଡି କରି ଯିବା ସହ ମାସ୍କ ବାଧ୍ୟତା ମୂଳକ ବୋଲି ଗାଇଡଲାଇନରେ ଦର୍ଶାଯାଇଛି। ଏଥିରେ ସେବାୟତ ତଥା ପୁଜାରୀ ମଧ୍ୟ ମାସ୍କ ପିନ୍ଧିବେ। ତେବେ ଏହି ସ୍ଥାନମାନଙ୍କୁ ସାନିଟାଇଜ କରାଯିବା ସହିତ ସେଠାରେ ଥର୍ମାଲ ସ୍କ୍ରିନିଂ, ଲୋକମାନଙ୍କ ହାତକୁ ସାନିଟାଇଜ କରାଯିବ।

ଏଥିସହ ମନ୍ଦିର ଭିତରେ ତଥା ମଲମାନଙ୍କରେ ଯେପରି କୌଣସି ଗହଳୀ ସୃଷ୍ଟି ନହୁଏ ସେ ନେଇ ସ୍ୱତନ୍ତ୍ର ସ୍କାର୍ଡ ନିୟୋଜିତ ରହିବେ। ତେବେ ଏଥିରେ ମଲମାନଙ୍କରେ ସିନେମା ହଲ, ଗେମ୍ ସେଣ୍ଟର, ପିଲାଙ୍କ ଖେଳ ଏରିଆକୁ ଖୋଲିବାକୁ ଅନୁମତି ଦିଆଯାଇନଥିବା ଜଣାପଡ଼ିଛି।

ଏହି ପରିପ୍ରେକ୍ଷୀରେ ଏହି ନିୟମ ଓଡ଼ିଶାରେ ଲାଗୁ ହେବନାହିଁ। ଓଡ଼ିଶାରେ କରୋନା ସ୍ଥିତି ଅନିୟନ୍ତ୍ରିତ ଥିବାରୁ ଏହାକୁ ଜୁନ୍ ୩୦କୁ ସ୍ଥଗିତ କରାଯାଇଛି। ତେବେ ଏ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।