ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ଜୟପୁର,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ କଣାଗାଁ ନିକଟସ୍ଥ ଏକ ନାଳରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ବୋରିଗୁମ୍ମା ପୁଲିସ ଉଦ୍ଧାର କରିଛି। ମିଳିଥିବା ରିପୋର୍ଟ ମୁତାବିକ, ଆଜି ସକାଳୁ କଣାଗାଁ ଗ୍ରାମ ନିକଟରେ ଥିବା ଏକ ନାଳ ନିକଟରେ ଜଣେ ମହିଳାଙ୍କ ଶବ ପାଣିରେ ଭାସୁଥିବା ଦେଖି ଗାଁ ଲୋକେ ବୋରିଗୁମ୍ମା ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବୋରିଗୁମ୍ମା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ପାଣିରୁ ଶବକୁ ଉଦ୍ଧାର କରିଛି। ଘଟଣାକୁ ନେଇ ବୋରିଗୁମ୍ମା ପୁଲିସ ତନାଘନା ଆରମ୍ଭ କରିଛି । ବୋରିଗୁମ୍ମା ଅଗ୍ନିଶମ ବିଭାଗ ଦୁରାଦକ୍ଷ ବାଘଙ୍କ ନେତୃତ୍ୱରେ ଶବ ଉଦ୍ଧାର କରାଯାଇଥିବାବେଳେ ବୋରିଗୁମ୍ମା ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ ଓ ସବଇନ୍ସପେକ୍ଟର ସୁଜାତା ବୋଢ଼େକ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସର ପ୍ରାଥମିକ ତଦନ୍ତରୁ ମହିଳା ଜଣକ ପାଗେଳି ବୋଲି ଜଣା ପଡ଼ିଥିବାବେଳେ ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ୭୨ ଘଣ୍ଟା ପର୍ୟ୍ୟନ୍ତ ଜିଲ୍ଲା ମୁଖ୍ୟାଳୟକୁ ସଂରକ୍ଷଣ ନିମନ୍ତେ ପଠାଇ ଦେଇଛି।