ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୨ ବୟସ୍କ ମହିଳାଙ୍କ ଜୀବନ

ବଡ଼ମ୍ୱା,ଏନ୍ଏନ୍ଏସ୍: କଟକ ଜିଲ୍ଲା ବଡ଼ମ୍ୱା ଥାନା ଅଞ୍ଚଳରେ ଅଜଣା ଗାଡ଼ି ଧକ୍କାରେ ୨ଜଣ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ବଡ଼ମ୍ୱା ଥାନା ଅନ୍ତର୍ଗତ ରତାପାଟ ନିକଟ ବାଲିଝରା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରତାପାଟ ଗାଁର ଉପର ସାହିର ରଙ୍ଗବତୀ ସାହୁ ଓ ତାରା ନାୟକ ନାମୀ ୨ଜଣ ମହିଳା ରବିବାର ଭୋରରେ ଶୌଚ ସାରି ଘରକୁ ଫେରିଥିଲେ।

ଏହି ସମୟରେ ପଛପଟୁ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି। ପରେ ସ୍ଥାନୀୟ ଲୋକମାନେ ରାସ୍ତା ଉପରେ ଶବ ରଖି ଧାରଣା ଦେବା ସହ ରାସ୍ତା ରୋକ କରିଛନ୍ତି। ଏ ନେଇ ଦୀର୍ଘ ଘଣ୍ଟା ପର୍ଯ୍ୟନ୍ତ ସେଠାରେ ଯାନବାହନ ଅଟକି ରହିଥିଲା।

ଏ ସମ୍ପର୍କରେ ପୁଲିସ ଖବର ପାଇ ଘଟଣାସ୍ଥଳକୁ ଯାଇ ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ସେହିପରି ମୃତକ ଦ୍ୱୟଙ୍କ ପରିବାରକୁ ରେଡକ୍ରସ୍ ତରଫରୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା। ପୁଲିସ୍ ଦୁଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ମ୍ୱା ଡାକ୍ତରଖାନାକୁ ପଠାଇଥିବା ଜଣାଯାଇଛି।