ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଚାଳକ ମୃତ

କଳାହାଣ୍ଡି,ଏନ୍ଏନ୍ଏସ୍: ଥୁଆମୂଳ ରାମପୁର ବ୍ଲକ୍ ପାଲଯୋର୍ ମୁଖ୍ୟ ରାସ୍ତାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣଙ୍କ ଟେଭାକଲମ୍ ଗ୍ରାମର ସିଗେସନ ନାଏକ(୨୨)। ସୂଚନା ଅନୁସାରେ ଗୁରୁବାର ସକାଳେ ସିଗେସନ ନିଜ ପତ୍ନୀଙ୍କୁ ନେଇ ଥୁଆମୂଳ ରାମପୁରରୁ ନିଜ ଗାଁ’କୁ ବାଇକ୍ ଯୋଗେ ଫେରୁଥିଲେ। ଏହି ସମୟରେ ସାମ୍ନା ପଟୁ ଏକ ଅଜଣା ଗାଡ଼ି ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟ ସ୍ୱାମୀ-ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ।

ସେଠାରୁ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ପରେ ସେଠାରୁ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଭବାନୀପାଟଣାରେ ସିଗେସନ ନାଏକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।