୨୩ରେ କୁଳପତି ଚୟନ ସାକ୍ଷାତକାର

ଭୁବନେଶ୍ୱର, ଏନ୍ଏନ୍ଏସ୍: ଓଡ଼ିଶାରେ ଖାଲି ପଡ଼ିଥିବା ୬ଟି ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ପୂରଣ ପାଇଁ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆସନ୍ତା ୨୩ ତାରିଖରେ ପ୍ରାର୍ଥୀମାନଙ୍କର ସାକ୍ଷାତକାର ନେବେ । ଏଠାରେ ଉଲ୍ଲେଖନୀୟ ଯେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଜା ମିଶ୍ର, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ଅମରେନ୍ଦ୍ର ନାରାୟଣ ମିଶ୍ର, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ଅତନୁ କୁମାର ପତି, ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ମଧୁମିତା ଦାସ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଦୀପ କୁମାର ଚାନ୍ଦଙ୍କ କାର୍ଯ୍ୟକାଳ ପୂର୍ବରୁ ଶେଷ ହୋଇସାରିଛି। ତେବେ ଏହି କୁଳପତିମାନଙ୍କ କାର୍ଯ୍ୟକାଳ ପୂରିବା ପୂର୍ବରୁ ସେମାନଙ୍କ ଉତ୍ତରାଧିକାରୀ ଚୟନ କରାଯାଇନଥିବା ଯୋଗୁ କୁଳାଧିପତି ଏମାନଙ୍କ କାର୍ଯ୍ୟକାଳ ବାରମ୍ବାର ବଢ଼ି ଚାଲିଛିି । ଇତିମଧ୍ୟରେ ବିଶ୍ୱବିଦ୍ୟାଳୟ ଆଇନ୍ରେ ସଂଶୋଧନ ଅଣାଯାଇ ନିଯୁକ୍ତି ନିୟମରେ କେତେକ ସଂଶୋଧନ କରାଯାଇଛି ଏବଂ ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ପୁନର୍ବାର ବିଜ୍ଞାପନ ମାଧ୍ୟମରେ ଆଶାୟୀ ପ୍ରାର୍ଥୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଇ ଉଚ୍ଚଶିକ୍ଷା ବିଭାଗ ନଥିପତ୍ର ଯାଞ୍ଚ କରି ଏକ ତାଲିକା ପ୍ରସ୍ତୁତ କରିଥିଲେ। ଇତିମଧ୍ୟରେ ୬ଟିଯାକ ବିଶ୍ୱବିଦ୍ୟାଳୟ ପାଇଁ ଗଠନ କରାଯାଇଥିବା ସର୍ଚ୍ଚ କମିଟି ଆବେଦନକାରିଙ୍କ ଦକ୍ଷତାକୁ ଯାଞ୍ଚ କରି ଏକ ପ୍ୟାନେଲ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ପ୍ରତି ବିଶ୍ୱବିଦ୍ୟାଳୟ ପାଇଁ ୩ଜଣ ଆବେଦନକାରୀଙ୍କ ନାମ ରହିଛି ।

ଏହି ତାଲିକା ରାଜ୍ୟପାଳଙ୍କ ହସ୍ତଗତ ହେବା ପରେ ସେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସନ୍ତା ୨୩ ତାରିଖରେ ସାକ୍ଷାତ ଆଲୋଚନା କରିବା ଜଣାପଡ଼ିଛି। ତେବେ କୁଳାଧିପତି ଜଣ ଜଣ କରି କିମ୍ବା ବିଶ୍ୱବିଦ୍ୟାଳୟୱାରୀ ଅଥବା ସମସ୍ତ ପ୍ରାର୍ଥୀମାନଙ୍କ ସହ ମିଳିତ ଆଲୋଚନା କରିବେ ତାହା ସ୍ପଷ୍ଟ ହୋଇନାହିଁ । ସର୍ଚ୍ଚ କମିଟି ଦ୍ୱାରା ଯୋଗ୍ୟ ବିବେଚିତ ହୋଇ ପ୍ୟାନେଲ୍ରେ ଥିବା ପ୍ରାର୍ଥୀମାନେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ସାକ୍ଷାତକାର ଲାଗି ଆସନ୍ତା ୨୩ ତାରିଖ ୧୧ଟା ସୁଦ୍ଧା ରାଜଭବନରେ ପହଞ୍ଚିବା ପାଇଁ ସୂଚନା ଦିଆଯାଇଛି । ରାଜ୍ୟପାଳ ଏମାନଙ୍କ ସହ ସାକ୍ଷାତ ଆଲୋଚନା ପରେ କେଉଁ ବିଶ୍ୱବିଦ୍ୟାଳୟ ଲାଗି କିଏ କୁଳପତି ଭାବେ ନିଯୁକ୍ତି ପାଇବେ ତାହା ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି । ତେବେ ସର୍ଚ୍ଚ କମିଟି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ତାଲିକାରେ ରାଜ୍ୟ ଭିତର ଓ ରାଜ୍ୟ ବାହାରର କେତେକ ବରିଷ୍ଠ ପ୍ରଫେସରଙ୍କ ନାମ ଥିବା ମଧ୍ୟ ଜଣାପଡ଼ିଛି।