ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ୟୁନିଟ-୧ ହାଟ ସ୍ଥାନାନ୍ତର, ଏଜିରୁ ରାଜମହଲ ଛକ ମଧ୍ୟରେ ବସିବେ ପରିବା ବ୍ୟବସାୟୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସାମାଜିକ ଦୂରତ୍ୱ ରକ୍ଷା ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ପରିବା ବ୍ୟବସାୟୀମାନେ ଆଜିଠାରୁ ୪୫ ଦିନ ଯାଏଁ ଭୁବନେଶ୍ୱରର ଏଜି ଛକରୁ ରାଜମହଲ ଛକ ମଧ୍ୟରେ ଦୋକାନ ପକାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ତୁରନ୍ତ ଏକ ନମ୍ବର ମାର୍କେଟକୁ ସ୍ଥାନାନ୍ତର ପାଇଁ ବିଏମସି ନିର୍ଦ୍ଦେଶ ଜାରି କରିଛି।

ହାଟରେ ଗହଳି ହେଉଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ସାମାଜିକ ଦୂରତ୍ୱ ରକ୍ଷା ଲାଗି ଭୁବନେଶ୍ୱରସ୍ଥିତ ୟୁନିଟ୍‌-୧ ହାଟକୁ ରାଜମହଲ ଛକକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି। ଏଣିକି ୟୁନିଟ-୧ ହାଟର ପରିବା ବ୍ୟବସାୟୀ ଏଜି ଛକରୁ ରାଜମହଲ ମଧ୍ୟରେ ବସିବେ।

କିଛି ପରିବା ବ୍ୟବସାୟୀ ୟୁନିଟ୍-୧ ହାଇସ୍କୁଲ ପଡ଼ିଆରେ ମଧ୍ୟ ବସିବେ ବୋଲି ଜଣାଯାଇଛି। ସେଠାରେ ଲୋକେ ନିର୍ଧାରିତ ଦୂରତାରେ ରହି କିଣାବିକା କରିବାକୁ ବି କଡ଼ା ନିର୍ଦେଶ ଦିଆଯାଇଛି। ତେବେ ମହାନଗରରେ ପନିପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିଥିବା ଦେଖିବାକୁ ମିଳୁଛି।