ଭୁବନେଶ୍ୱର-ୟୁଏଇ ସିଧାସଳଖ ବିମାନସେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର

– କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଅନୁରୋଧ
– ମଧ୍ୟ-ପ୍ରାଚ୍ୟ ଦେଶ ଗୁଡିକରେ କାମ କରୁଥିବା ଓଡିଆ ଲୋକଙ୍କ ଏହା ଦୀର୍ଘ ଦିନର ଦାବି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ଓ ୟୁଏଇ ସ୍ଥିତ ରାସ୍-ଅଲ୍-ଖଇମା ସହର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଭୁବନେଶ୍ୱର ବିମାନବନ୍ଦର ଅନ୍ତର୍ଜାତୀୟ ବିମାନବନ୍ଦର ଭାବେ ପରିଚାଳିତ ହେବା ପରେ ୨୦୧୫ରୁ ଏଠାକୁ ବିଦେଶୀ ଯାତ୍ରୀ ତଥା ପର୍ୟ୍ୟଟକ ଏବଂ ଏନ୍ଆର୍ଆଇଙ୍କ ସଂଖ୍ୟା ବଢିଛି । ଭୁବନେଶ୍ୱରରୁ ୟୁଏଇ ସ୍ଥିତ ରାସ୍-ଅଲ୍-ଖଇମା ସହର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ ଓଡିଆ ଏନଆରଆଇ ଏବଂ ମଧ୍ୟ-ପ୍ରାଚ୍ୟ ଦେଶ ଗୁଡିକରେ କାମ କରୁଥିବା ଓଡିଆ ଲୋକଙ୍କ ଦୀର୍ଘ ଦିନରୁ ଦାବୀ ରହିଛି । ଏହି ବ୍ୟବସ୍ଥା ହେଲେ ବିଶେଷ ଭାବରେ ଆବୁଧାବୀ, ଦୁବାଇ, ଶାର୍ଜାହ, ରିଆଦ୍, ବାହରେନ୍ ଏବଂ ଅନ୍ୟାନ୍ୟ ଉପସାଗରୀୟ ଦେଶ ଗୁଡିକରେ କାମ କରୁଥିବା ଅଧିକ ସଂଖ୍ୟକ ଓଡିଆ ଲୋକ ଉପକୃତ ହେବେ ।

ବର୍ତମାନ ଏୟାର ଏସିଆ ଦ୍ୱାରା ପରିଚାଳିତ ହେଉଥିବା ଏକମାତ୍ର ଅନ୍ତର୍ଜାତୀୟ ବିମାନ ସିଧାସଳଖ ଭୁବନେଶ୍ୱରରୁ ମ୍ୟାଲେସିଆର କୁଆଲା ଲୁମପୁର ପର୍ୟ୍ୟନ୍ତ ଚଳାଚଳ କରୁଛି । ସଂପ୍ରତି ଭୁବନେଶ୍ୱର ବିମାନ ବନ୍ଦର ଦେଶର ଦ୍ରୁତ ଗତିରେ ବଢୁଥିବା ବିମାନବନ୍ଦର ମଧ୍ୟରୁ ଅନ୍ୟତମ । ୨୦୧୭-୧୮ରେ ଯାତ୍ରୀ ହାର ୪୧ ପ୍ରତିଶତ ବୃଦ୍ଧି ପାଇ ୩୨ ଲକ୍ଷରୁ ଉଦ୍ଧ୍ୱର୍ରେ ପହଁଚିଛି । ଯାତ୍ରୀ ସୁବିଧା ଏବଂ ବିମାନବନ୍ଦର ସଂପ୍ରସାରଣ ପ୍ରକଳ୍ପ ବର୍ତମାନ କାର୍ୟ୍ୟାଧୀନ ଥିବାବେଳେ ଆଗାମୀ ଦିନରେ ଏହି ସୁବିଧା ଭୁବନେଶ୍ୱର ବିମାନବନ୍ଦରର ବିମାନ ସେବାକୁ ଗତି ଦେବ ।

ଶ୍ରୀ ପ୍ରଧାନ ପତ୍ରରେ ଆହୁରି ଉଲ୍ଲେଖ କରିଛନ୍ତି ଯେ ତାଙ୍କର ସୂଚନାନୁସାରେ ରାସ୍-ଅଲ୍-ଖଇମାରେ ନୂଆ ବିମାନ ସେବା ପାଇଁ ସ୍ପାଇଶ ଜେଟ୍ ଏବଂ ୟୁଏଇ ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଛି । ଭୁବନେଶ୍ୱରରୁ ରାସ୍-ଅଲ୍-ଖଇମା ମଧ୍ୟରେ ସଂଯୋଗ ପାଇଁ ସ୍ପାଇଶ ଜେଟକୁ ମଧ୍ୟ ସୁପାରିଶ କରିବା ପାଇଁ ଶ୍ରୀ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କ ସହଯୋଗ ଲୋଡିଛନ୍ତି ।

ଓଡିଶା ଲୋକଙ୍କର ସୁବିଧାକୁ ଧ୍ୟାନରେ ରଖି ଭୁବନେଶ୍ୱର ଓ ୟୁଏଇ ସ୍ଥିତ ରାସ୍-ଅଲ୍-ଖଇମା ମଧ୍ୟରେ ଖୁବ ଶୀଘ୍ର ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ପୁରୀଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ପ୍ରସ୍ତାବିତ ବିମାନ ସେବା ଭାରତ ଏବଂ ୟୁଏଇର ସମ୍ପର୍କକୁ ମଜବୁତ୍ କରିବ ଏବଂ ଦୁଇ ଦେଶର ବ୍ୟବସାୟକୁ ମଧ୍ୟ ବଢାଇବାରେ ସହାୟକ ହେବ ବୋଲି କେନ୍ଦମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।