ଋଷିଆ ଏବଂ ଓଡିଶା ମଧ୍ୟରେ ବ୍ୟବସାୟିକ ସମ୍ପର୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ

ଆରଓଏସଜିଇଓର ଉପାଧ୍ୟକ୍ଷଙ୍କୁ ଭେଟି କୋକିଂ କୋଲ, ତୈଳ, ଗ୍ୟାସ୍ କ୍ଷେତ୍ର ଉପରେ ଆଲୋଚନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଋଷ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଋଷ ଓ ଓଡିଶା ମଧ୍ୟରେ ସିଧାସିଧା ବାଣିଜ୍ୟିକ ସମ୍ପର୍କର ପଥ ପରିଷ୍କାର କରିବାକୁ ପଦକ୍ଷେପ ନେଇଛନ୍ତି। ଋଷର ଭ୍ଲାଡିଭୋଷ୍ଟୋକ ଏବଂ ପାରାଦୀପ ସହର ଉଭୟ ଭଲ ସହଯୋଗୀ ବନ୍ଦର ହୋଇପାରିବେ। ଋଷରୁ ଅଶୋଧିତ ତୈଳ ଏବଂ କୋକିଂ କୋଲ ଭ୍ଲାଡିଭୋଷ୍ଟୋକ ଦେଇ ପାରାଦୀପ ବନ୍ଦର ପର୍ଯ୍ୟନ୍ତ ଆସିପାରିବ। ଯଦ୍ୱାରା ଋଷିଆ ଏବଂ ଓଡିଶା ମଧ୍ୟରେ ଉର୍ଜା ସେତୁ ସଂଯୋଗର ବିକାଶ ହୋଇପାରିବ ବୋଲି ଋଷର ଡେଭଜଡା ଜାହାଜ ଶିଳ୍ପ ପରିଦର୍ଶନ କରିବା ପରେ ରୋଜନେଫଟର ସିଇଓଙ୍କ ସହ ସାକ୍ଷାତ୍ ଆଲୋଚନା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।

ସେହିପରି କୋଇଲା କ୍ଷେତ୍ରରେ ଋଷ ସହ ଦୀର୍ଘକାଳୀନ ସହଯୋଗ ଭାରତକୁ କୋକିଂ କୋଲର ସହାୟତା ଯୋଗାଇଦେବା ସହ ଦେଶର ଚାହିଦାକୁ ପୂରଣ କରିପାରିବ ବୋଲି ପାଂଚଦିନିଆ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବୁଧବାର ଋଷର ବିଭିନ୍ନ ମନ୍ତ୍ରୀଗଣ ଓ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ପରେ ସୂଚନା ଦେଇଛନ୍ତି। ଅକ୍ଟୋବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଋଷ ଓ ଜାପାନ ଗସ୍ତରେ ଥିବା ଶ୍ରୀ ପ୍ରଧାନ ଗସ୍ତର ଦ୍ୱିତୀୟ ଦିନରେ ଋଷର ପର୍ବାଂଚଳ ଏବଂ ଆର୍କେଟିକର ବିକାଶ ପାଇଁ ଦାୟିତ୍ୱ ନେଇଥିବା ଋଷର ପ୍ରଥମ ଉପମନ୍ତ୍ରୀ ସର୍ଗେ ତୃତ୍ସେଭ୍ ଙ୍କ ସହ ଭାରତ ଏବଂ ଋଷ ମଧ୍ୟରେ ଉର୍ଜା କ୍ଷେତ୍ର ଉପରେ ଆଲୋଚନା କରିଛନ୍ତି।

ଉଭୟ ମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଉର୍ଜା ସହଯୋଗକୁ ବୃଦ୍ଧି କରିବା ପାଇଁ ବିଶେଷ ଭାବରେ କୋକିଂ କୋଲ୍ ଏବଂ ଅନ୍ୟାନ୍ୟ ଉର୍ଜାର ସ୍ରୋତ ଉପରେ ଗୁରୁତ୍ୱାରୋପ କରିଥିଲେ। ଋଷିଆନ ରେଳର ଉପମୁଖ୍ୟ ବାଦିମ୍ ମିଖାଲୋଭଙ୍କୁ ଭେଟି ଶ୍ରୀ ପ୍ରଧାନ କୋକିଂ କୋଲର ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଋଷିଆନ ରେଳର ଉପମୁଖ୍ୟ ସୂଚନା ଦେଇଥିଲେ ଯେ ଋଷିଆନ ରେଳ ଯାତ୍ରୀଙ୍କ ଭିଡକୁ କମ୍ କରବା ଏବଂ ବନ୍ଦର ଓ ଖଣିଜ କେନ୍ଦ୍ର ସହ ଉତମ ସଂଯୋଗ ସ୍ଥାପନ ପାଇଁ ୨୦୨୦ ସୁଦ୍ଧା ଆବଶ୍ୟକୀୟ ଭିତିଭୂମି ପୂରଣ କରିବ।

ଭୋଷ୍ଟୋଚିନେ ଇଂଟରମୋଡାଲ କଂଟେନର ବନ୍ଦରର ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ। ସାକ୍ଷାତ୍କାଳରେ ଶ୍ରୀ ପ୍ରଧାନ ବନ୍ଦରର ସଂପ୍ରସାରଣ ଏବଂ ଘରୋଇ ଇସ୍ପାତ ଉଦ୍ୟୋଗ ପାଇଁ କୋକିଂ କୋଲକୁ ସୁରକ୍ଷିତ କରିବା ପାଇଁ ବିଭିନ୍ନ ପଦ୍ଧତି ଉପରେ ଚର୍ଚ୍ଚା କରିଥିଲେ। ସେହିପରି ଶ୍ରୀ ପ୍ରଧାନ ଋଷିଆନ୍ ଷ୍ଟେଟ୍ ଜିଓଗ୍ରାଫିକାଲ୍ କଂପାନୀ(ଆରଓଏସଜିଇଓ)ର ଉପାଧ୍ୟକ୍ଷଙ୍କୁ ଭେଟି କୋକିଂ କୋଲ, ତୈଳ, ଗ୍ୟାସ୍ ଏବଂ ମୂଲ୍ୟବାନ ଧାତୁ ତଥା ଲିଥିୟମ କ୍ଷେତ୍ର ଉପରେ ଆଲୋଚନା କରିଥିଲୋ

ସେହିପରି ଭାରତୀୟ ଇସ୍ପାତର ଏକ ପ୍ରତିନିଧି ମଣ୍ଡଳି ଓ କୋଇଲା କଂପାନୀ ଋଷର ବରିଷ୍ଠ ଅଧିକାରୀଙ୍କ ସହ ପୃଥକ ବୈଠକ କରି ବ୍ୟବସାୟିକ ଉପରେ ଆଲୋଚନା କରିଥିଲେ। ଉଲ୍ଲେଖନୀୟ ଯେ, ଏହି ଗସ୍ତକାଳରେ ଶ୍ରୀ ପ୍ରଧାନଙ୍କ ସହ ଯାଇଥିବା ପ୍ରତିନିଧି ମଣ୍ଡଳିଙ୍କ ମଧ୍ୟରେ ପାରାଦ୍ୱୀପ ବନ୍ଦରର ଅଧ୍ୟକ୍ଷ ରିଙ୍କେଶ ରାୟ, ଓଏନଜିସିର ସିଏମଡି, ସେଲର ବରିଷ୍ଠ ଅଧିକାରୀ ପ୍ରମୁଖ ସାମିଲ ଅଛନ୍ତି।