ଇସ୍ପାତ୍ ଓ ଖଣିଜ ଶିଳ୍ପ ବିକାଶକୁ କେନ୍ଦ୍ରମନ୍ତ୍ରୀଙ୍କ ଗୁରୁତ୍ୱ: ଓଡ଼ିଶା ଯୋଡ଼ିବ ନୂଆ ଅଧ୍ୟାୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତୀୟ ଇସ୍ପାତ୍ ଏବଂ ଖଣିଜ ଶିଳ୍ପ ବିକାଶର ଆଗାମୀ ପ୍ରବାହରେ ଓଡ଼ିଶା ଏକ ନୂଆ ଅଧ୍ୟାୟ ଲେଖିପାରିବ ବୋଲି ସୋମବାର ଭୁବନେଶ୍ୱରସ୍ଥିତ ସିଏସଆଇଆର୍-ଖଣିଜ ଏବଂ ପଦାର୍ଥ ପ୍ରାଦ୍ୟୋଗିକ ସଂସ୍ଥା (ଆଇଏମଏମଟି) ଠାରେ ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ, ଓଡ଼ିଶାର ସରକାରୀ ଅଧିକାରୀ ଏବଂ ଇସ୍ପାତ ଶିଳ୍ପର ଅଧିକାରୀଙ୍କ ସହ ଏକ ବୈଠକ କରିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ଅର୍ଥନୀତିର ବିକାଶ ଦିଗରେ ଯୋଗଦାନ ପାଇଁ ଆମକୁ କାମ କରିବାର ଆବଶ୍ୟକତା ରହିଛି। ଜ୍ଞାନ ଆଧାରିତ ଇକୋସିଷ୍ଟମ ଉଦ୍ୟମଶୀଳତାକୁ ତିଆରି କରିବାରେ ଇନୋଭସେନ ଏକ ଚାବିକାଠି ହେବା ଦରକାର। ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକରେ ଛୋଟ ଛୋଟ ଶିଳ୍ପ ମଧ୍ୟ ଗବେଷଣାର ସୁଯୋଗ ପ୍ରଦାନ କରୁଥିବାରୁ ଖୁସିବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ। ଏହି ଗବେଷଣା ପ୍ରକ୍ରିୟା ଏହି କ୍ଷେତ୍ରର ଖଣିଜ ଏବଂ ଇସ୍ପାତ ଶିଳ୍ପକୁ ମଜଭୁତ୍ କରିବ ବୋଲି ସେ କହିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ସିଏସଆଇଆର୍-ଆଇଏମଏମଟିର ଲାବ୍ରୋଟରି ପରିଦର୍ଶନ କରିଥିଲେ।

ଶିକ୍ଷାନୁଷ୍ଠାନର ମିନେରାଲ ପ୍ରୋସେସିଂ ପାଇଲଟ ପ୍ଲାଣ୍ଟ୍ ଏବଂ ପାଇଲଟ୍ ସ୍କେଲ୍ ଫ୍ଲୁଇଡାଇଜ୍ଡ୍ ବେଡ୍ ରିଆକ୍ଟର ଏକ ଟେକ୍ନୋଲୋଜିକୁ ବିକାଶ କରିଛି। ଯାହା ଶିଳ୍ପ ପାଇଁ ନିମ୍ନ ମାନଯୁକ୍ତ ଲୁହାପଥର ଏବଂ ଥର୍ମାଲଯୁକ୍ତ କୋଇଲାର ଉପଯୋଗ କରିବ। ଯଦି ସିଏସଆଇ୍ଆର୍-ଆଇଏମ୍ଏମ୍ଟି ସଂସ୍ଥା ଦ୍ୱାରା ବିକଶିତ ସ୍ୱଦେଶୀ ଜ୍ଞାନକୌଶଳର ଟେକ୍ନୋଲୋଜି ବାଣିଜ୍ୟିକ ବ୍ୟବହାର୍ଯ୍ୟ ହେବ ତେବେ ଭାରତ ଏବଂ ଓଡ଼ିଶାର ଶିଳ୍ପରେ ବଡ଼ ପରିବର୍ତ୍ତନ ଆଣିପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ସିଏସଆଇ୍ଆର୍-ଆଇଏମ୍ଏମ୍ଟି, ଏନ୍ଆଇଟି ରାଉରକେଲା, ଆଇସିଟି ଭୁବନେଶ୍ୱରର ନିର୍ଦ୍ଦେଶକ, ଉତ୍କଳ ବିଶ୍ୱବିଦ୍ୟାଳୟର ଭୂତତ୍ତ୍ୱ ବିଭାଗର ଅଧ୍ୟାପକ ବୃନ୍ଦ, ରାଜ୍ୟ ସରକାରଙ୍କ ଅଧିକାରୀ ଏବଂ ଇସ୍ପାତ୍ ଶିଳ୍ପର ଅଧିକାରୀମାନେ ଯୋଗଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବୈଠକରେ ଗବେଷଣା କେନ୍ଦ୍ର, ଶିଳ୍ପ, ପଲିସି ନିର୍ମାତା ମଧ୍ୟରେ ଅଧିକ ସମନ୍ୱୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।