ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ଜୈବ ଉର୍ଜା ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା – ଧର୍ମେନ୍ଦ୍ର ପ୍ରଧାନ

ବିଶ୍ୱ ଜୈବ-ଭାରତ ୨୦୧୯ ସମ୍ମିଳନୀର ଉଦଘାଟନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ପାଇଁ ଆମେ ଉଦ୍ୟମ ଜାରୀ ରଖିଥିବା ବେଳେ ଜୈବ ଉର୍ଜା ଏହି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଗୁରୁବାର ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ବିଶ୍ୱ ଜୈବ-ଭାରତ ୨୦୧୯ ସମ୍ମିଳନୀର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଉର୍ଜାର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ପାଇଁ ଜୈବ ଉର୍ଜା ଉପରେ ଭାରତ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ଦେଶର ନୂଆ ଜୈବ ଉର୍ଜା ନୀତି ଦେଶର ଅନ୍ନଦାତା କୃଷକଙ୍କୁ ଉର୍ଜାଦାତା କରିବା ପାଇଁ ବିଧିବଦ୍ଧ ଯୋଜନା କ୍ରିୟାନ୍ୱିତ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଜୈବ ଅର୍ଥନୀତିର ବିକାଶ ପାଇଁ ଭାରତ ପାଖରେ ଅପାର ସମ୍ଭାବନା ଅଛି। ଟେକ୍ନୋଲୋଜି ଏବଂ ଦେଶର ଭୌଗଳିକ ସ୍ଥିତି ଏହି କ୍ଷେତ୍ରକୁ ବିକାଶିତ କରିବା ପାଇଁ ଯଥେଷ୍ଟ ସମ୍ଭାବନା ରଖିଛି। ନୂଆ ଯନ୍ତ୍ରପାତି ସାହାଯ୍ୟରେ ବର୍ଜ୍ୟ ବାୟୋମାସକୁ ରୂପାନ୍ତରିତ କରି ଜୈବଇନ୍ଧନ ବାହାର କରିବା ଦିଗରେ ଆମେ କାମ କରୁଅଛୁ। ସେ କହିଛନ୍ତି ଯେ ପେଟ୍ରୋଲିୟମ ମନ୍ତ୍ରାଳୟ ୩୦୦ କୋଟିର ଷ୍ଟାର୍ଟ-ଅପ୍ ଫଣ୍ଡ ପ୍ରତିଷ୍ଠା କରିଛି।

୨୦୨୪ ସୁଦ୍ଧା ୧୦୦ ବିଲିୟନ ଡଲାର ଜୈବ ଅର୍ଥନୀତି ବନାଇବାରେ ଯେଉଁ ଲକ୍ଷ୍ୟ ରହିଛି ତାହା ଭାରତ ପାଇଁ କମ୍। ଜୈବ ଇନ୍ଧନ ଶିଳ୍ପକୁ ଏକ ନୂଆ ମଡେଲ ଦେବାରେ ଭାରତର ଅଧିକ କ୍ଷମତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଆଜି ଦିନରେ ଭାରତର ମୁଣ୍ଡପିଛା କାର୍ବନ ଗ୍ୟାସ୍ ନିଗର୍ମନ ବିଶ୍ୱର ହାରାହାରି ହାର ଠାରୁ କମ୍ ରହିଛି ଏବଂ ଏହାକୁ ଆହୁରି କମ୍ କରିବା ପାଇଁ ଜୈବଇନ୍ଧନ ଉପଯୁକ୍ତ ମାଧ୍ୟମ। ତୈଳ ଆମଦାନୀକୁ ହ୍ରାସ କରିବାରେ ମଧ୍ୟ ଜୈବଇନ୍ଧନ ଏକ ଭଲ ମାଧ୍ୟମ ବୋଲି ସେ କହିଛନ୍ତି।