ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ

ଭଦ୍ରକ,ଏନ୍ଏନ୍ଏସ୍ : ଭଦ୍ରକ ଲୋକସଭା ଆସନରୁ ୮ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ତଥା ବାଜପେୟୀ ସରକାରଙ୍କ ସମୟରେ କେନ୍ଦ୍ର ଜଳ ସଂମ୍ପଦ ମନ୍ତ୍ରୀ ଥିବା ପୂର୍ବତନ ସାଂସଦ ଅର୍ଜୁନ ଚରଣ ସେଠୀଙ୍କର ଆଜି ରାତି ୮ଟା ୧୫ ମିନିଟ ସମୟରେ ଦେହାନ୍ତ ହୋଇ ଯାଇଛି। ଗତକାଲି ଶ୍ରୀ ସେଠୀ ହଠାତ୍ ଗୁରୁତର ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ଚିକିତ୍ସା ପାଇଁ ନିଆ ଯାଇଥିଲା। ଆଜି ଚିକିତ୍ସିତ ହେବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ସେଠୀ ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଓଡଙ୍ଗ ଗ୍ରାମରେ ୧୯୪୧ ମସିହା ସେପ୍ଟେମ୍ବର ମାସ ୧୮ ତାରିଖ ଜନ୍ମ ହୋଇଥିଲେ। ସେ ପ୍ରଥମ ଥର ୧୯୭୧ ମସିହାରେ କଂଗ୍ରେସ ଦଳରୁ ଭଦ୍ରକ ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇ ଲୋକସଭାକୁ ଯାଇଥିଲେ। ପୁଣି ୧୯୮୦ରେ କଂଗ୍ରେସ (ଆଇ)ରୁ ଭଦ୍ରକ ସଂସଦୀୟ କ୍ଷେତ୍ରରୁ ଦ୍ୱିତୀୟ ଥର ନିର୍ବାଚିତ ହୋଇଥିଲେ। ପରେ କଂଗ୍ରେସ ଦଳ ଛାଡି ଜନତା ଦଳରେ ଯୋଗ ଦେଇ ୧୯୯୧ରେ ପୁଣି ଭଦ୍ରକରୁ ଲୋକସଭାକୁ ବିଜୟୀ ହୋଇ ଯାଇଥିଲେ।

ଏହାପରେ ୧୯୯୮, ୧୯୯୯, ୨୦୦୪,୨୦୦୯ ଓ ୨୦୧୪ରେ ବିଜୁ ଜନତାଦଳର ସାଂସଦ ଭାବେ ଭଦ୍ରକରୁ ବିଜୟୀ ହୋଇଥିଲେ। ସେ ମୋଟ ୮ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହା ବ୍ୟତୀତ ଦୁଇଥର ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ୧୯୯୦ ମସିହାରୁ ୧୯୯୧ ଓ ୧୯୯୫ରୁ ୧୯୯୮ ପର୍ଯ୍ୟନ୍ତ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ। ସେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀ ମଣ୍ଡଳରେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ କେନ୍ଦ୍ର ମନ୍ତ୍ରୀ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ଶ୍ରୀ ସେଠୀ ବିଜେଡି ଟିକେଟ ନ ପାଇ ବିଜେଡି ଦଳ ଛାଡି ବିଜେପି ଦଳରେ ଯୋଗ ଦେଇଥିଲେ। ପୁଅ ଅଭିମନ୍ୟୁ ବିଜେପି ଟିକଟରେ ଭଦ୍ରକ ଲୋକସଭା ଆସନରେ ଲଢ଼ିଥିଲେ। ତାଙ୍କ ମୃତ୍ୟୁରେ ଭଦ୍ରକରେ ବହୁ ନେତା, ବୁଦ୍ଧିଜୀବୀ ଶୋକ ପ୍ରକଟ କରିଛନ୍ତି।