ପ୍ରୟାଗରାଜରେ ବେରୋଜଗାରୀ ସଂଖ୍ୟା ୧.୫ ଲକ୍ଷ, ୩୩୭ଙ୍କୁ ମିଳିଛି ନିଯୁକ୍ତି

ଭାରତରେ ସର୍ବାଧିକ ବେରୋଜଗାରୀ ସହର ରୂପେ ଉତ୍ତରପ୍ରଦେଶର ପ୍ରୟାଗରାଜକୁ ଚିହ୍ନଟ କରାଯାଇଛି। ଅନ୍ୟ ସହର ଅପେକ୍ଷା ଏଠାରେ ବେରୋଜଗାରୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି।

ବର୍ତ୍ତମାନ ସମୟରେ ପ୍ରାୟ ୧.୫ ଲକ୍ଷ ବେରୋଜଗାର ଯୁବକଯୁବତୀ ଚାକିରି ସନ୍ଧାନରେ ଅଛନ୍ତି ବୋଲି ସଦ୍ୟ ପ୍ରକାଶ ପାଇଥିବା ଏକ ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ପ୍ରୟାଜରାଜ ବା ପୂର୍ବବର୍ତ୍ତୀ ଆହ୍ଲାବାଦ ୮.୯ ପ୍ରତିଶତ ବେରୋଜଗାରୀ ହାର ସହିତ ସବୁଠୁ ଆଗରେ ରହିଛି। ଜୁଲାଇ ୨୦୧୭ରୁ ଜୁନ୍ ୨୦୧୮ ଅବଧି ପାଇଁ ସରକାରଙ୍କ ଦ୍ୱାରା ଏନ୍ଏସ୍ଏସ୍ଓର ଏହି ‘ପିରିଓଡିକ୍ ଲେବର୍ ଫୋର୍ସ ସର୍ଭେ’ ରିପୋର୍ଟ ୨୦୧୯ ମେ’ ୨୯ ତାରିଖରେ ଜାରି କରାଯାଇଥିଲା। ସରକାରୀ ଦସ୍ତାବିଜ୍ରେ ଉଲ୍ଲେଖ କରାଯାଇଥିବା ରେକର୍ଡକୁ ଦେଖିବାକୁ ଗଲେ ଏଠାରେ ବେରୋଜଗାରୀ ଲାଇନ୍ରେ ପ୍ରାୟ ୧.୫ ଲକ୍ଷ ଯୁବତଯୁବତୀ ଅନ୍ତର୍ଭୁକ୍ତ ଅଛନ୍ତି।

ବେରୋଜଗାରୀ ତୁଳନାରେ ଏଠାରେ ନିଯୁକ୍ତି ଅନେକ ଗୁଣ କମ୍ ହେବ ବୋଲି ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ପ୍ରୟାଗରାଜସ୍ଥିତ ଆଞ୍ଚଳିକ ରୋଜଗାର କାର୍ଯ୍ୟାଳୟରେ ୧,୪୭,୫୬୧ଟି ବେରୋଜଗାର ପଞ୍ଜିକୃତ ହୋଇଛି। ଏଥିମଧ୍ୟରେ ୧ଲକ୍ଷ ୧୯ହଜାର ୬୬୩ ଜଣ ପୁରୁଷ ଏବଂ ୨୭ହଜାର ୮୭୮ଜଣ ମହିଳା ସାମିଲ ଅଛନ୍ତି।

ଏହି ପରିପ୍ରେକ୍ଷୀରେ ଚଳିତବର୍ଷ ୪ଟି ନିଯୁକ୍ତିମେଳାରେ ୩୩୭ ଜଣ ବ୍ୟକ୍ତିଙ୍କୁ ବିଭିନ୍ନ କ୍ଷେତ୍ରର ବେସରକାରୀ କମ୍ପାନୀ ପାଇଁ ବଛାଯାଇଛି।