ଟ୍ରକ ଧକ୍କାରେ କକା ମୃତ, ପୁତୁରା ଗୁରୁତର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ତାଲପଟିଆ ଫାଣ୍ଡି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରଲର ଟ୍ରକ ପଛପଟୁ ଏକ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଇକରେ ଯାଉଥିବା କକାଙ୍କ ମୃତ୍ୟୁ ହୋଇଥିବାବେଳେ ପୁତୁରା ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ତାଲପଟିଆ ଟାଙ୍ଗରପାଲି ଗ୍ରାମର ଜିତେନ୍ଦ୍ର ବୁଡ଼ା(୩୪) ଓ ଗୁରୁତର ଆହତ ହୋଇଥିବା ତାଙ୍କ ପୁତୁରା ଶକ୍ତି ବୁଡ଼ା(୧୨) ବୋଲି ଜଣାପଡ଼ିଛି। ତେବେ ତାଲପଟିଆ ପୁଲିସ ଗୁରୁତର ଆହତ ଶକ୍ତିଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଜିତେନ୍ଦ୍ରଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ପୁଲିସ ଅଟକ ରଖିବା ସହ ଟ୍ରକକୁ ଜବତ କରିଥିବା ତାଲପଟିଆ ଫାଣ୍ଡି ଅଧିକାରୀ ଶରତ ଦ୍ୱିବେଦୀ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ଆଜି ଅପରାହ୍ଣରେ ଜିତେନ୍ଦ୍ର ଓ ଶକ୍ତି ବାଇକ (ଓଆର୧୫କେ୦୨୩୮)ରେ ତାଲପଟିଆରୁ ଟାଙ୍ଗରପାଲି ଯାଉଥିବାବେଳେ ଦ୍ରୁତ ଗତିରେ ଆସୁଥିବା ଟ୍ରଲର ଟ୍ରକ(ଓଡି୧୬ଇ୩୩୮୪) ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଜିତେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଶକ୍ତି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ତୁରନ୍ତ ଉଭୟଙ୍କୁ ଡାକ୍ତରଖାନା ନେଇଥିଲା।