ଭାର ଦେବାକୁ ଯିବା ବେଳେ ଅଘଟଣ: ଦୁର୍ଘଟଣାରେ ଚାଲିଗଲା ମାମୁଁ-ଭଣଜାଙ୍କ ଜୀବନ

ଯାଜପୁର,ଏନ୍ଏନ୍ଏସ୍: ଭଉଣୀ ଘରକୁ ଭାର ଦେବାକୁ ଯାଉଥିବାବେଳେ ଘଟିଛି ଅଘଟଣ। ଦୁର୍ଘଟଣାରେ ଚାଲିଗଲା ମାମୁଁ-ଭଣଜାଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳ ଖରସ୍ରୋତା ପୋଲ ଉପରେ। ସୂଚନା ଅନୁସାରେ ନଗୁଆଁ ଗାଁର ରାଜକିଶୋର ମହାନ୍ତି ନିଜର ଭଉଣୀ ଘର ଅଫସରପୁର ଗାଁକୁ ଦୂତିଆ ଓଷାର ଭାର ଦେବା ପାଇଁ ଭଣଜାଙ୍କୁ ସାଙ୍ଗରେ ନେଇ ଯାଉଥିଲେ।

ସେ ଏକ ବାଇକ ଯୋଗେ ଘରୁ ବାହାରିଥିଲେ। ଖରସ୍ରୋତା ନଦୀ ବ୍ରିଜ ଉପରେ ତାଙ୍କୁ ଏକ ଟ୍ରକ ଧକ୍କା ଦେବା ଫଳରେ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେହିପରି ଟ୍ରକଟି ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସେପଟେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ। ଖବର ପାଇ କୁଆଖିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ଏହି ସମୟରେ ଲୋକଙ୍କ ଆକ୍ରମଣରେ ଜଣେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।