ଭଡ଼ାଘରେ ନର୍ସଙ୍କ ଅସ୍ୱାଭାବିକ ମୃତ୍ୟୁ

ଦେବଗଡ଼,ଏନ୍ଏନ୍ଏସ୍: ଦୁର୍ଗମ ଅଞ୍ଚଳରେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ଧନ୍ୱନ୍ତରୀ ଭ୍ରାମ୍ୟମାଣ ଚିକିତ୍ସାକେନ୍ଦ୍ରରେ କାର୍ଯ୍ୟରତ ଜଣେ ନର୍ସଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ଏ ନେଇ ଦେବଗଡ଼ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ ବାରକୋଟ ଥାନା ଅନ୍ତର୍ଗତ ଗୁରସଂଗ ଗ୍ରାମର ନବଘନ ସାହୁଙ୍କ ଝିଅ ସ୍ୱର୍ଣ୍ଣପ୍ରଭା ସାହୁ ଧନ୍ୱନ୍ତରୀ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ରରେ ନର୍ସ ଭାବେ କାର୍ଯ୍ୟରତ ଥିଲେ। ଅନ୍ୟ ଦିନମାନଙ୍କ ଭଳି ଗତକାଲି ମଧ୍ୟ ସ୍ୱର୍ଣ୍ଣପ୍ରଭା କାର୍ଯ୍ୟକ୍ଷେତ୍ରରୁ ଫେରି ଦେବଗଡ଼ ଜଗତିପାଲିସ୍ଥିତ ତାଙ୍କ ଭଡ଼ା ଘରକୁ ଫେରିଥିଲେ। ରାତ୍ରିରେ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ।

ଶୁକ୍ରବାର ସକାଳେ କାର୍ଯ୍ୟକ୍ଷେତ୍ରରେ ଯୋଗଦେବା ପାଇଁ ତାଙ୍କ ସହକର୍ମୀମାନେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ଫୋନ କରିଥିଲେ ମାତ୍ର ଫୋନରୁ କୌଣସି ଉତ୍ତର ମିଳିନଥିଲା। ପରେ ସେମାନେ ତାଙ୍କ ଭାଇଙ୍କ ନିକଟକୁ ଫୋନ୍ କରିଥିଲେ। ତାଙ୍କ ଭାଇ ଆସି ଦେଖିବା ବେଳକୁ ସ୍ୱର୍ଣ୍ଣପ୍ରଭା ନିଜ ବିଛଣା ଉପରେ ଶୋଇଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ଡାକ ପକାଇବାରୁ କୌଣସି ପ୍ରତିକ୍ରିୟା ନମିଳିବାରୁ ସ୍ୱର୍ଣ୍ଣପ୍ରଭାଙ୍କ ଭାଇ ଏବଂ ଧନ୍ୱନ୍ତରୀ ଭ୍ରାମ୍ୟମାଣ ଆମ୍ବୁଲାନ୍ସର ସହଯୋଗୀମାନେ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାରୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଦେବଗଡ଼ ଥାନା ପୁଲିସ ମୃତ ଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତ ଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।