ବିଦ୍ୟୁତ ବିସ୍ମୟ: ମାସକର ବିଲ୍ ସାଢ଼େ ୬ଲକ୍ଷ !

ଭଞ୍ଜନଗର,ଏନ୍ଏନ୍ଏସ୍: ମାସକର ବିଦ୍ୟୁତ୍ ବିଲ୍ ବାବଦର ଅର୍ଥରାଶି ଦେଖି ଉପଭୋକ୍ତାଙ୍କର ହୋସ୍ ଉଡ଼ିଯାଇଛି। ମାତ୍ର ମାସକ ମଧ୍ୟରେ ସାଢ଼େ ଲକ୍ଷ ଟଙ୍କା। ବିଲ୍ ଉଲ୍ଲେଖ ଥିବା ଅର୍ଥ ରାଶି ବାରମ୍ବାର ଦେଖିବାକୁ ଲାଗିଲେ। ଗୋଟିଏ ମାସରେ ସାଉଥ୍କୋ ଏତେ ପରିମାଣରେ ବିଦ୍ୟୁତ୍ ବିଲ୍ ଦେଲା କିପରି ଭାବିବାକୁ ଲାଗିଲେ। ଏପରି ଏକ ଘଟଣା ଘଟିଛି ସ୍ଥାନୀୟ ଖଲାସି ସାହିରେ ରହୁଥିବା କିଶୋର ଚନ୍ଦ୍ର ପଣ୍ଡାଙ୍କ କ୍ଷେତ୍ରରେ। ତାଙ୍କର ଦୁଇ ମହଲା ଘରେ ଦୁଇଟି ମିଟର ଲାଗିଛି। ଗୋଟିଏ ମିଟରରେ ରିବେଟ୍ ଯିବା ପରେ ରହିଛି ୩ଲକ୍ଷ ୬ହଜାର ୪୮୦ ଟଙ୍କା।

ଉପଭୋକ୍ତାଙ୍କର ବିଦ୍ୟୁତ୍ ନମ୍ବର ହେଲା – ୨୯୧୧୦୫୨୧୦୧୦୯ ତାଙ୍କର ଦ୍ୱିତୀୟ ମିଟର ନମ୍ବର ହେଲା – ୨୯୧୧୦୫୨୧୦୧୧୦। ଏହି ମିଟରରେ ରିବେଟ୍ ପରେ ବିଲ୍ ଆସିଛି ୩,୪୨, ୭୪୨ ଟଙ୍କା। ଏହି ବିଲ୍ ଦେଖି ତାଙ୍କର ହୋସ୍ ଉଡ଼ିଗଲା। ନଭେମ୍ବର ମାସ ୨୫ ତାରିଖରେ ସେ ଦୁଇଟି ନୂଆ ମିଟର ବସାଇଥିଲେ। ଯେତେବେଳେ ମିଟର ବସୁଛି ସେତେବେଳେ ମିଟର ରିଡିଂ ଶୂନ୍ୟରୁ ଆରମ୍ଭ ହୋଇଥାଏ। କିନ୍ତୁ ଗୋଟିଏ ମିଟରରେ ମାସକରେ ୫୮୮୮୩ ୟୁନିଟ୍ ବ୍ୟବହାର ହୋଇଥିବା ବେଳେ ଅନ୍ୟ ମିଟରରେ ୪୨୧୦୩ ୟୁନିଟ୍ ବିଦ୍ୟୁତ୍ ମାସକରେ ବ୍ୟବହାର ହୋଇଛି ବୋଲି ଉଲ୍ଲେଖ ହୋଇଛି। ସାଉଥ୍କୋ କେଉଁ ଆଧାରରେ ଏପରି ବିଲ୍ ଦେଉଛି ଏବଂ ତାହାର ମିଟରର ଗୁଣବତ୍ତା ନେଇ ବର୍ତ୍ତମାନ ପ୍ରଶ୍ନ ଉଠୁଛି। ଏ ସମ୍ପର୍କରେ ସେ ସାଉଥ୍କୋର ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି।