ବ୍ରିଟେନର ଭ୍ୟାକ୍ସିନ ନୀତି ଭେଦଭାବପୂର୍ଣ୍ଣ : ଭାରତ

ନୂଆଦିଲ୍ଲୀ: କୋଭିସିଲ୍ଡ ଭ୍ୟାକ୍ସିନକୁ ବ୍ରିଟେନ ତରଫରୁ ମାନ୍ୟତା ନ ମିଳିବାକୁ ନେଇ ଭାରତ ସରକାର କଡ଼ା ସମାଲୋଚନା କରିଛନ୍ତି। ବ୍ରିଟେନର ଏହି ନିଷ୍ପତ୍ତିକୁ ଭାରତ ‘ଭେଦଭାବପୂର୍ଣ୍ଣ ନୀତି’ ବୋଲି କହିଛି। ଏନେଇ ବିଦେଶ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା କହିଛନ୍ତି ଯେ, ବ୍ରିଟେନର ଏହି ନୀତି ଯୋଗୁ ବ୍ରିଟେନ ଯାଉଥିବା ଭାରତୀୟ ନାଗରିକଙ୍କ ଉପରେ ପ୍ରଭାବ ପଡ଼ିପାରେ।

ବିଦେଶ ସଚିବ ଆହୁରି କହିଛନ୍ତି ଯେ, ବିଦେଶ ମନ୍ତ୍ରୀ ତାଙ୍କ ୟୁକେ ସମକକ୍ଷଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ମାମଲାକୁ ଯଥାଶୀଘ୍ର ସମାଧାନ କରିବା ଲାଗି ଆଶ୍ୱାସନା ମିଳିଛି। ଏହାସତ୍ୱେ ଯଦି କୌଣସି ସମାଧାନ ନହୁଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ଅଧିକାଂଶ ଭାରତବାସୀ କୋଭିସିଲ୍ଡ ଭ୍ୟାକ୍ସିନ ଲଗାଇଛନ୍ତି। ଏହା ବ୍ରିଟେନର ଏଷ୍ଟ୍ରୋଜେନିକା ଭ୍ୟାକ୍ସିନର ଭାରତୀୟ ଭର୍ସନ। ଏହାକୁ ଭାରତର ସୀରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିଲେ ମଧ୍ୟ ସୂଚୀରୁ ବାହାର କରାଯାଇଛି। ଫଳରେ ଡୋବଲ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ବ୍ରିଟେନରେ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ।