ନୂଆଦିଲ୍ଲୀ: ଋଷ ସହ ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି ଲଗାତାର ଭାବେ ଦେଶର ସେନା ଓ ଲୋକଙ୍କୁ ପ୍ରେରିତ କରୁଛନ୍ତି । ସେମାନଙ୍କ ମଧ୍ୟରେ ଦେଶଭକ୍ତିର ଭାବନାକୁ ଉଜ୍ଜୀବିତ କରୁଛନ୍ତି । ନିକଟରେ ଜେଲେନସ୍କି ଏମିତି କିଛି କରିଛନ୍ତି ଯଦ୍ୱାରା ପୁଣିଥରେ ଦେଶର ସେନା ଓ ଲୋକଙ୍କ ପାଇଁ ହିରୋ ପାଲଟି ଯାଇଛନ୍ତି ।
ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି ଋଷ ଆକ୍ରମଣରେ ଆହତ ହୋଇଥିବା ସୈନିକଙ୍କୁ ଭେଟିବା ପାଇଁ କୀଭ କ୍ଷେତ୍ରରେ ଥିବା ଏକ ସୈନିକ ହସ୍ପିଟାଲକୁ ଯାଇଥିଲେ । ଏଠାରେ ଯୁଦ୍ଧରେ ପ୍ରାଣ ହରାଇଥିବା ସୈନିକଙ୍କୁ ‘ୟୁକ୍ରେନର ନାୟକ’ ଭାବେ ଜେଲେନସ୍କି ଘୋଷିତ କରିଥିଲେ । ଏହି ସମୟରେ ସେ ଆହତ ସୈନିକଙ୍କୁ ମଧ୍ୟ ପ୍ରୋତ୍ସାହିତ କରିଥିଲେ ।
ଜେଲେନସ୍କି ଆହତ ସୈନିକଙ୍କୁ କହିଥିଲେ ଯେ, ବନ୍ଧୁମାନେ ଯଥାଶୀଘ୍ର ଠିକ୍ ହୋଇଯାଅ, ଆପଣମାନେ ଯାହା କରିଛନ୍ତି ତା’ର ଉପହାର ବିଜୟ ହିଁ ହେବ ବୋଲି ମୁଁ ମନେ କରୁଛି ।