ନୂଆଦିଲ୍ଲୀ,ଭୁବନେଶ୍ୱର, ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଗରିବ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ସୁଯୋଗ ଦେଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶୁକ୍ରବାର ନୂଆଦିଲ୍ଲୀ ଠାରେ ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସ ଉପଲକ୍ଷେ ମାଇକ୍ରୋସେଭ୍, ଗେଟ୍ସ୍ ଫାଉଣ୍ଡଡେସନ ଏବଂ କ୍ଲିଣ୍ଟନ୍ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା: ମହିଳାଙ୍କୁ ମିଳିଲା ସମ୍ମାନ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ ଏହି ମତବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ସାମିଲ ହୋଇଥିବା ୮ କୋଟିରୁ ଊଦ୍ଧ୍ୱର୍ ମହିଳା ଲାଭାର୍ଥୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମହିଳାଙ୍କ ସମ୍ମାନ ଓ ସ୍ୱାଭିମାନ ରକ୍ଷା କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ ଦିଗରେ ଅଗ୍ରସର କରିବା ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମୋଦୀ ସରକାରଙ୍କ ଏକ ମହତ୍ତ୍ୱପୂର୍ଣ୍ଣ ଏବଂ ମହତ୍ତ୍ୱାକାଂକ୍ଷୀ ପଦକ୍ଷେପ। ଏହି ଯୋଜନା କାରଣରୁ ଗରିବ ମହିଳାଙ୍କ ମଧ୍ୟରେ ଏଲ୍ପିଜି ଭଳି ସ୍ୱଚ୍ଛ ଇନ୍ଧନର ନିରନ୍ତର ବ୍ୟବହାର କରିବା ପାଇଁ ଉତ୍ସାହ ବଢିଛି। ୨୦୧୪ ପର୍ଯ୍ୟନ୍ତ ଦେଶରେ ଏଲ୍ପିଜି ଉପଭୋକ୍ତାଙ୍କ ସଂଖ୍ୟା ମାତ୍ର ୧୩ କୋଟି ଥିଲା। ମାତ୍ର ମୋଦୀ ସରକାର ଦାୟିତ୍ୱ ନେବା ପରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ସାହାଯ୍ୟରେ ଆଜି ଏଲ୍ପିଜି ଉପଭୋକ୍ତାଙ୍କ ସଂଖ୍ୟା ୨୭.୭ କୋଟିକୁ ବୃଦ୍ଧି ପାଇଛି। ଗତ ୫ ବର୍ଷରେ ମୋଦୀ ସରକାର ଦେଶରେ ପ୍ରାୟ ୯୭ ପ୍ରତିଶତ ଘରେ ଏଲ୍ପିଜି ପହଞ୍ଚାଇବାର ସଫଳତା ହାସଲ କରିଛନ୍ତି ବୋଲି ସେ କହିଛନ୍ତି।
ଶ୍ରୀ ପ୍ରଧାନ କହିଲେ ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ରିପୋର୍ଟ ଅନୁସାରେ ପ୍ରତିବର୍ଷ ଦେଶରେ ପ୍ରାୟ ୫ ଲକ୍ଷ ମହିଳା ଘରୋଇ ଧୂଆଁ କାରଣରୁ ମୃତ୍ୟୁବରଣ କରୁଥିଲେ। ଏହି ବିଷାକ୍ତ ଧୂଆଁକୁ ସମାପ୍ତ କରିବା ମୋଦୀ ସରକାରଙ୍କ ଲକ୍ଷ୍ୟ ଥିଲା ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଏ ଦିଗରେ ବଡ ସକରାତ୍ମକ ପଦକ୍ଷେପ ଭାବେ ପ୍ରମାଣିତ ହୋଇଛି। ସଂପ୍ରତି କେନ୍ଦ୍ର ସରକାର ଗରିବଙ୍କ ପାଖରେ ଏଲ୍ପିଜିର ବ୍ୟବହାରକୁ ବଢାଇବା ଦିଗରେ ଗୁରୁତ୍ୱ ଦେଉଛନ୍ତି। ବର୍ତ୍ତମାନ ଦେଶର ସାଧାରଣ ଲୋକମାନେ ବାର୍ଷିକ ହାରାହାରି ପ୍ରାୟ ୭ ଥର ଏଲ୍ପିଜି ରିଫିଲ କରୁଥିବାବେଳେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ୮୦ ପ୍ରତିଶତ ଲାଭାର୍ଥୀ ପ୍ରଥମ ବର୍ଷରେ ୪ରୁ ଅଧିକ ରିଫିଲ କରିଛନ୍ତି, ଯାହା ବେଶ୍ ଉତ୍ସାହଜନକ।
ଭାରତରେ ଏଲ୍ପିଜିର ବ୍ୟବହାରକୁ ବଢାଇବା ଏବଂ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାରେ ଉଜ୍ଜଳା ଯୋଜନା ଏକ ମଜଭୁତ ଆଧାର ସଦୃଶ ହୋଇଛି। ଉର୍ଜାକୁ ଦେଶର ସବୁ ବର୍ଗର ଲୋକଙ୍କ ପାଖରେ ନିରନ୍ତର ଭାବରେ ସ୍ୱଚ୍ଛ ଓ ଶସ୍ତା ଦାମରେ ଏବଂ ବ୍ୟବସ୍ଥିତ ପଦ୍ଧତିରେ ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା ରହିଛି। ଏଲ୍ପିଜି ସାମାଜିକ ପରିବର୍ତ୍ତନର ଏକ ବଡ ଆଧାର। ଏଥିପାଇଁ ସବୁ ଲୋକଙ୍କ ପାଖରେ ଏଲ୍ପିଜିର ଲାଭ ଓ ଏଲ୍ପିଜିକୁ ସଠିକ୍ ଭାବରେ ବ୍ୟବହାର କରିବାର ସୂଚନା ପହଞ୍ଚାଇବା ଜରୁରୀ। ଏହି ଅବସରରେ ଗରିବ ଲୋକଙ୍କର ଆବଶ୍ୟକତା ଏବଂ ପକେଟ୍କୁ ସୁହାଇବା ଭଳି କମ୍ ମାତ୍ରାରେ ଏଲପିଜି ରିଫିଲ୍ ବିକ୍ରି କରିବାର ପ୍ରଣାଳୀ ଉପରେ ବିଚାରବିମର୍ଶ କରିବା ପାଇଁ ତୈଳ ବିପଣନ କମ୍ପାନୀଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଉଲ୍ଲେଖନୀୟ ଯେ ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଦ୍ୱାରା ମହିଳାମାନେ ସଶକ୍ତିକରଣ ହେବା ଏବଂ ସ୍ୱଚ୍ଛ ଇନ୍ଧନର ବ୍ୟବହାର ଦ୍ୱାରା ସେମାନଙ୍କ ଜୀବନଶୈଳୀରେ ଆସିଥିବା ସକରାତ୍ମକ ପରିବର୍ତ୍ତନ ଉପରେ ଆଲୋଚନା ହୋଇଥିଲା।