ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୧୯ ନଭେମ୍ବର ୟୁଜିସି- ନେଟ୍ ପ୍ରବେଶିକା ପରୀକ୍ଷା ଆସନ୍ତାକାଲି ଅନୁଷ୍ଠିତ ହେବ। ଏନେଇ ସର୍ବଭାରତୀୟସ୍ତରରେ ମୋଟ୍ ୧୦ଲକ୍ଷ ୩୪ହଜାର ୮୭୨ଜଣ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଛନ୍ତି। ଜୁନିୟର ରିସର୍ଚ୍ଚ ଫେଲୋସିଫ୍ ପାଇବା ଏବଂ ଆସିଷ୍ଟାଣ୍ଟ୍ ପ୍ରଫେସର ପଦବୀ ଲାଗି ଯୋଗ୍ୟତା ହାସଲ ଲାଗି ଏହି ପରୀକ୍ଷା ଅନୁଷ୍ଠିତ ହେବ। ଆସନ୍ତା ୬ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ।
ସର୍ବଭାରତୀୟସ୍ତରରେ ଏହି ପରୀକ୍ଷାକୁ ଏନ୍ଟିଏ ବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପରିଚାଳନା କରିବ। ୨ଟି ସିଟିଂରେ ପରୀକ୍ଷା ହେବ। ପ୍ରତ୍ୟେକ ସିଟିଂ ପରୀକ୍ଷାର ଅବଧି ୩ଘଣ୍ଟା ରହିବ। ପ୍ରଥମ ସିଟିଂ ସକାଳ୯ଟା୩୦ରୁ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ସିଟିଂ ପରୀକ୍ଷା ଲାଗି ପରୀକ୍ଷାଥିମାନେ ପରୀକ୍ଷାକେନ୍ଦ୍ରକୁ ସକାଳ ୭ଟା୩୦ରୁ ୮ଟା୩୦ ମଧ୍ୟରେ ପ୍ରବେଶ କରିବେ। ସେହିପରି ପରୀକ୍ଷା ହଲ୍କୁ ୯ଟା୪୫ରୁ ୯ଟା ସୁଦ୍ଧା ପ୍ରବେଶ କରିବେ।
ସେହିପରି ୨ୟ ସିଟିଂ ପରୀକ୍ଷା ୨ଟା୩୦ରୁ ୫ଟା୩୦ ପର୍ଯ୍ୟନ୍ତ ଚାଲିବ। ଏନେଇ ପରୀକ୍ଷାର୍ଥୀମାନେ ପରୀକ୍ଷାକେନ୍ଦ୍ରକୁ ୧୨ଟା୩୦ରୁ ୧ଟା୩୦ ମଧ୍ୟରେ ପ୍ରବେଶ କରିବେ। ସେହିପରି ପରୀକ୍ଷାକକ୍ଷକୁ ପ୍ରବେଶ ସମୟ ୧ଟା୪୫ରୁ ୨ଟା ମଧ୍ୟରେ ଯିବା ଲାଗି ଧାର୍ଯ୍ୟ ହୋଇଛି। ପ୍ରତ୍ୟେକ ସିଟିଂରେ ୨ଟି ପେପର ପରୀକ୍ଷା ହେବ।
ପ୍ରଶ୍ନପତ୍ରରେ ସଂକ୍ଷିପ୍ତ ପ୍ରଶ୍ନ ଏବଂ ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନ ରହିବ। ଆସନ୍ତା ୩୧ତାରିଖ ସୁଦ୍ଧା ଏହାର ରେଜଲ୍ଟ ପ୍ରକାଶ ପାଇବ।ଏହି ପରୀକ୍ଷା ଲାଗି ଦେଶରେ ମୋଟ୍ ୨୨୮ଟି ପରୀକ୍ଷାକେନ୍ଦ୍ରର ବ୍ୟବସ୍ଥା ହୋଇଥିବା ବେଳେ ଓଡ଼ିଶାରେ ୭ଟି କେନ୍ଦ୍ର ମଧ୍ୟରୁ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ରାଉରକେଲା ଏବଂ ସମ୍ବଲପୁର ରହିଛି।