ଶିବସେନା-ଏନସିପି-କଂଗ୍ରେସ ବୈଠକରେ ସହମତି: ଉଦ୍ଧବ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନା-ଏନ୍ସିପି ଓ କଂଗ୍ରେସର ଆଲୋଚନା ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ୩ ଦଳର ଏକ ମିଳିତ ବୈଠକରେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ସହମତି ପ୍ରକାଶ ପାଇଛି। ତେବେ ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ଓ କ୍ଷମତା ବଣ୍ଟନ ନେଇ ତିନି ଦଳ ମଧ୍ୟରେ ଆଲୋଚନା ଜାରି ରହିଥିବା ଏନସିପି ମୁଖ୍ୟ ଶରଦ ପୱାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଦୁଇ ଘଣ୍ଟାଧରି ବସିଥିବା ଏହି ବୈଠକ ଶେଷ ହେବାପରେ ଶରଦ ପୱାର ସାମ୍ବାଦିକମାନଙ୍କୁ କହିଲେ ଯେ ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ନେଇ ତିନି ଦଳ ସର୍ବସମ୍ମତ ମତ ପ୍ରକାଶ କରିଛନ୍ତି। ତେବେ ଶିବସେନା ଓ ଏନ୍ସିପି-କଂଗ୍ରେସ ମେଣ୍ଟ ମଧ୍ୟରେ ଆଦର୍ଶଗତ ମତ ପାର୍ଥକ୍ୟ ଥିବାରୁ ସରକାର ଚଳାଇବାକୁ ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି। ଏହାଛଡ଼ା କେଉଁ ଦଳରୁ କେତେଜଣ ମନ୍ତ୍ରୀ ରହିବେ ଓ କାହାକୁ କେଉଁ ବିଭାଗ ମିଳିବ ସେନେଇ ଆଲୋଚନା ଜାରି ରହିଛି। ଆସନ୍ତାକାଲି ଆଉ ଥରେ ତିନିଦଳର ଚୂଡ଼ାନ୍ତ ବୈଠକ ବସିବ ଓ ସେଥିରେ ସବୁ ନିଷ୍ପତ୍ତି ନିଆଯିବ। ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଲୋଚନାର ନିଷ୍କର୍ଷ ଜଣାଇ ଦିଆଯିବ ବୋଲି ସେ କହିଥିଲେ।

କେନ୍ଦ୍ରୀୟ ମୁମ୍ବାଇର ନେହରୁ ସେଣ୍ଟରଠାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଶରଦ ପୱାର ଓ ଉଦ୍ଧବ ଠାକ୍ରେଙ୍କ ବ୍ୟତୀତ ଶିବସେନା ପକ୍ଷରୁ ଏକନାଥ ସିନ୍ଦେ, ସୁବାସ ଦେଶାଇ, ସଞ୍ଜୟ ରାଉତ, କଂଗ୍ରେସ ଦଳ ପକ୍ଷରୁ ଅହମଦ ପଟେଲ, ମଲ୍ଲିକାର୍ଜୁନ ଖାର୍ଗେ, କେସି ଭେନୁଗୋପାଳ, ଅବିନାଶ ପାଣ୍ଡେ, ବାଲାସାହେବ ଥୋରଟ, ପୃଥ୍ୱୀରାଜ ଚୌହାନ ଏବଂ ଏନ୍ସିପି ପକ୍ଷରୁ ପ୍ରଫୁଲ୍ଲ ପଟେଲ, ଜୟନ୍ତ ପାଟିଲ, ଅଜିତ ପୱାର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ରାଜ୍ୟର ପୂର୍ବତନ କଂଗ୍ରେସ ମୁଖ୍ୟ ମାଣିକରାଓ ଠାକ୍ରେ କହିଛନ୍ତି ଯେ ପରିକଳ୍ପିତ ସରକାରରେ କ୍ଷମତା ବଣ୍ଟନ ଓ ମାର୍ଗଦର୍ଶକ ଭାବେ ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମର ଚିଠା କଂଗ୍ରେସ ଓ ଏନ୍ସିପି ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଆଜି ଏନେଇ ଶିବସେନା ସହ ଆଲୋଚନା ହୋଇଛି। ଏହି ଚିଠାକୁ ସେନା ମୁଖ୍ୟ ଉଦ୍ଧବ ଠାକ୍ରେ ସମ୍ପୂର୍ଣ୍ଣ ଗ୍ରହଣ କରିଥିଲେ ମଧ୍ୟ କେତୋଟି ବିଷୟରେ ଆପତ୍ତି ଉଠାଇଥିବାରୁ ଆସନ୍ତାକାଲି ଆଉଥରେ ବୈଠକ ବସିବାର ଆବଶ୍ୟକତା ଉପୁଜିଛି।

ଉଲ୍ଲେଖଯୋଗ୍ୟ, ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟକୁ ୧୬୧ଟି ଆସନ ମିଳିଥିବାବେଳେ କଂଗ୍ରେସ-ଏନ୍ସିପି ମେଣ୍ଟ ୯୮ଟି ଆସନ ହାସଲ କରିଥିଲା। ବିଜେପି ୧୦୫ ଓ ଶିବସେନା ୫୬ଟି ଆସନ ହାସଲ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ସହ ୫୦-୫୦ ଫର୍ମୂଲା ଆଧାରରେ ମନ୍ତ୍ରିମଣ୍ଡଳ ଗଠନ ପାଇଁ ଶିବସେନା ଅଡ଼ି ବସିବାରୁ ବିବାଦ ସୃଷ୍ଟି ହୋଇ ସରକାର ଗଠନରେ ଅନିଶ୍ଚିତତା ପ୍ରକାଶ ପାଇଥିଲା। ରାଜ୍ୟପାଳ ପ୍ରତି ଦଳକୁ ସରକାର ଗଢ଼ିବାକୁ ଆମନ୍ତ୍ରଣ କରିଥିଲେ ମଧ୍ୟ କୌଣସି ଦଳ ଏଥିପାଇଁ ସମର୍ଥ ନହେବାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା। ରାଷ୍ଟ୍ରପତି ଶାସନ ୬ ମାସ ପାଇଁ ବଳବତ୍ତର ରହିବ ବୋଲି ନିୟମ ରହିଥିବାବେଳେ ଶିବସେନା-ଏନ୍ସିପି-କଂଗ୍ରେସ ମେଣ୍ଟ ଶୀଘ୍ର ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଠନ ପାଇଁ ଦାବି ଜଣାଇବ ବୋଲି ସୂଚନା ମିଳିଛି।