ଉବର୍’ରେ କରନ୍ତୁ ମେଟ୍ରୋରେ ଯାତ୍ରା

ନୂଆଦିଲ୍ଲୀ :  ଏଣିକି ଯାତ୍ରୀମାନେ ଉବର୍ ଜରିଆରେ ଦିଲ୍ଲୀ ମେଟ୍ରୋ ଭଳି ସାର୍ବଜନୀନ ପରିବହନରେ ଯାତ୍ରା କରିପାରିବେ। ଏନେଇ ପ୍ରମୁଖ ଟ୍ୟାକ୍ସି ସେବା ପ୍ରଦାନକାରୀ ଅନଲାଇନ୍ କମ୍ପାନୀ ଉବର୍ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍ (ଡିଏମଆରସି) ସହିତ ବୁଝାମଣା କରିଛି। ବର୍ତ୍ତମାନ ପରଠାରୁ ଯାତ୍ରୀମାନଙ୍କୁ ମେଟ୍ରୋରେ ଯାତ୍ରା କରିବା ଲାଗି କାର୍ଡ କିମ୍ବା ଟୁକନର କୌଣସି ଆବଶ୍ୟକତା ପଡ଼ିବ ନାହିଁ। ଏଥିସହିତ ଯାତ୍ରୀମାନଙ୍କୁ ଘରଠାରୁ ମେଟ୍ରୋ ଷ୍ଟେସନ୍ କିମ୍ବା ମେଟ୍ରୋ ଷ୍ଟେସନ ଠାରୁ ଘର ପର୍ଯ୍ୟନ୍ତ ମଧ୍ୟ କ୍ୟାବ୍ ସୁବିଧା ମିଳିବ।

ଏଭଳି ଯୋଜନା ପ୍ରଥମଥର ପାଇଁ ଏସିଆ ଏବଂ ଭାରତରେ ଶୁଭାରମ୍ଭ କରାଯାଇଛି। ଏହା ପୂର୍ବରୁ ଆମେରିକାର ବୋଷ୍ଟନ୍ ଏବଂ ଫ୍ରାନ୍ସର ନାଇସ୍ ସହରରେ ଏହି ସେବାର ଶୁଭାରମ୍ଭ କରାଯାଇଥିଲା। ଏହା ଅନ୍ତର୍ଗତ ଉବର୍ ଆପ୍ ରେ ଗୋଟିଏ ଥର ବୁକିଂ କରିବା ଦ୍ୱାରା ହିଁ ଯାତ୍ରୀମାନେ ଘରଠାରୁ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ବେଶ୍ ସହଜରେ ପହଞ୍ଚିପାରିବେ। ଏହାଦ୍ୱାରା ଯାତ୍ରୀମାନଙ୍କୁ ବାରମ୍ବାର ବୁକିଂ କରିବା, ଟୁକନ୍ କିମ୍ବା ସ୍ମାର୍ଟ କାର୍ଡ କିଣିବା ବା ରିଚାର୍ଜ କରିବାରୁ ମୁକ୍ତି ମିଳିବ।

ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ୪ଟି ମେଟ୍ରୋ ଷ୍ଟେସନରେ ଏହି ସୁବିଧା ଉପଲବ୍ଧ କରାଯାଇଛି। ଆଗାମୀ ପର୍ଯ୍ୟାୟରେ ୪୬ଟି ଷ୍ଟେସନରେ ଏହି ସେବାକୁ ଉପଲବ୍ଧ କରାଯିବ। ସେହିଭଳି ପର୍ଯ୍ୟାୟକ୍ରମେ ଏହାକୁ ମୋଟ ୨୧୦ଟି ଷ୍ଟେସନରେ ଉପଲବ୍ଧ କରାଯିବ ବୋଲି ଉଲ୍ଲେଖ କରାଯାଇଛି। ଏହି ଆପ୍ ଜରିଆରେ ଜଣେ ଗ୍ରାହକ ନିଜର ଶେଷ ମାଇଲ୍ ବା ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ବୁକିଙ୍ଗ୍ କରିବା ପରେ ଘରଠାରୁ କ୍ୟାବ୍ ଜରିଆରେ ଉବର୍ ତାଙ୍କୁ ମେଟ୍ରୋ ଷ୍ଟେସନରେ ଛାଡ଼ିବ। ମେଟ୍ରୋରେ ପହଞ୍ଚିବା ପରେ ତାଙ୍କୁ ମେଟ୍ରୋ ପାସ୍ କି ଟିକେଟ୍ ର ଆବଶ୍ୟକ ପଡ଼ିବ ନାହିଁ।

ଉବର୍ ଆପ୍ ରେ ଏକ କୋଡ୍ କୁ ସ୍କାନ୍ କରି ସେ ମେଟ୍ରୋ ଷ୍ଟେସନରେ ପ୍ରବେଶ କରିପାରିବେ। ମେଟ୍ରୋ ଷ୍ଟେସନରୁ ବାହାରକୁ ଆସିବା ପାଇଁ ମଧ୍ୟ ଉକ୍ତ କୋଡ୍ ର ସ୍କାନ୍ କରିବାକୁ ପଡ଼ିବ। ମେଟ୍ରୋ ଷ୍ଟେସନରୁ ବାହାରକୁ ଆସିବା ପରେ ଉବର୍ କ୍ୟାବ୍, ବସ୍ କିମ୍ବା ବାଇକ୍ ଜରିଆରେ ଯାତ୍ରୀଜଣକ ତାଙ୍କ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ପହଞ୍ଚିପାରିବେ। ମେଟ୍ରୋ ଷ୍ଟେସନରେ ଉବର୍ ବସ୍ ର ମଧ୍ୟ ସୁବିଧା ମିଳିବ।