ପାକିସ୍ତାନର ନିଯୁକ୍ତି ଭିସା ବ୍ୟାନକଲା ୟୁଏଇ

ରିୟାଦ୍, ଏଜେନ୍ସି: ପାକିସ୍ତାନ ସମେତ ୧୩ଟି ମୁସ୍ଲିମ୍ ବହୁଳ ରାଷ୍ଟ୍ରର ନାଗରିକଙ୍କ ନିଯୁକ୍ତି ଭିସାକୁ ବ୍ୟାନ୍ କରିଛି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)। ଏହି ୧୩ ଟି ରାଷ୍ଟ୍ର ମଧ୍ୟରେ ଇରାନ୍, ତୁର୍କୀ, ସିରିଆ ଓ ସୋମାଲିଆ, ଆଲଜେରିଆ, କେନିଆ, ଇରାକ୍, ଲେବାନନ୍ ଓ ଟ୍ୟୁନିସିଆ ଅନ୍ତର୍ଭୁକ୍ତ। ତେବେ ଏ ସମ୍ପର୍କରେ ୟୁଏଇର ନାଗରିକତା ଓ ପରିଚୟ ସମ୍ପର୍କିତ ସଂଘୀୟ କର୍ତ୍ତୃପକ୍ଷଙ୍କ ମତାମତ ହଠାତ୍ ମିଳିନାହିଁ।

ସୂତ୍ରରୁ ଜଣାପଡିଛି ଯେ, ୟୁଏଇ ଅସ୍ଥାୟୀ ଭାବେ ଆଫଗାନିସ୍ତାନ ଓ ପାକିସ୍ତାନ ପ୍ରଭୃତି ରାଷ୍ଟ୍ରଗୁଡିକର ନାଗରିକଙ୍କୁ ନୂଆ ଭିସା ପ୍ରଦାନ ବନ୍ଦ ରଖିଛି। ୟୁଏଇର ଏଭଳି ପଦକ୍ଷେପ ପାକିସ୍ତାନ ଉପରେ ବିଶେଷ ପ୍ରଭାବ ପକାଇବ। କାରଣ ପାକିସ୍ତାନର ବହୁ ସଂଖ୍ୟକ ଶ୍ରମିକ ୟୁଏଇରେ କାର୍ଯ୍ୟ କରୁଛନ୍ତି। ପାକିସ୍ତାନରୁ ପ୍ରତିବର୍ଷ ବହୁ ସଂଖ୍ୟାରେ ଲୋକ ଚାକିରି ପାଇଁ ୟୁଏଇକୁ ଯାଇଥାନ୍ତି। ଏବେ ନିଯୁକ୍ତି ଭିସା ବ୍ୟାନ୍ ହେବା ପରେ ଏହା ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି। ଉଲ୍ଲେଖଯୋଗ୍ୟ କଶ୍ମୀର ପ୍ରସଙ୍ଗରେ ୟୁଏଇ ଭାରତକୁ ସମର୍ଥନ ଜଣାଇବାରୁ ପାକିସ୍ତାନ ଏଥିରେ କ୍ଷୁବ୍ଧ ହୋଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା। ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମେହେମୁଦ୍ କ୍ୟୁରେସି ୟୁଏଇକୁ ଧମକ ଦେଇ ମୁସଲିମ୍ ରାଷ୍ଟ୍ରଗୁଡିକ ଏହା ବିରୋଧରେ ଏକଜୁଟ୍ ହୋଇ ବିହିତ ପଦକ୍ଷେପ ନେବେ ବୋଲି କହିଥିଲେ।