ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ପୁରୀ ରଥଯାତ୍ରା ଭଳି ବାବା ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେଉଥିଲା। ମାତ୍ର ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା କରିବେ ବାବା ଲିଙ୍ଗରାଜ।ଦୀର୍ଘ ଦୁଇ ବର୍ଷ ପରେ ଭକ୍ତ ଦେଖିବେ ରୁକୁଣା ରଥଯାତ୍ରା। ଆଜି ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରୁକୁଣା ରଥଯାତ୍ରା ପାଇଁ ସମନ୍ୱୟ ବୈଠକ ବସିଥିବା ବେଳେ ଏନେଇ ନିଷ୍ପତି ନିଆଯାଇଛି।
ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥାଯାତ୍ରା ପାଇଁ ଆଜି ସ୍ୱତନ୍ତ୍ର ସର୍କିଟ୍ ହାଉସ୍ଠାରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରଥଯାତ୍ରା ଠାରୁ ବାହୁଡ଼ାଯାତ୍ରା ପର୍ଯ୍ୟନ୍ତ ହେବାକୁଥିବା ବିଭିନ୍ନ ସରକାରୀ ବିଭାଗର କାର୍ଯ୍ୟ ସହ ଆଇନ ଶୃଙ୍ଖଳା ସଂପର୍କରେ ଆଲୋଚନା କରାଯାଇଛି। ସେହିପରି ଏବେବି ରାଜ୍ୟରେ କରୋନା ସଂକ୍ରମଣର ଭୟ ରହିଥିବାରୁ ରଥଯାତ୍ରା ସମୟରେ ଲୋକଙ୍କ ଭିଡକୁ ନିୟନ୍ତ୍ରଣରେ ରଖିବା ପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି ଜଣାପଡିଛି।