ଦୁଇ-ତୃତୀୟାଂଶ ଭାରତୀୟଙ୍କଠାରେ ଆଣ୍ଟିବଡି, ୪୦ କୋଟି ଏବେ ବି ବିପଦରେ

ନୂଆଦିଲ୍ଲୀ: ଦେଶର ୪୦ କୋଟି ଲୋକ ଏବେ ବି କରୋନାରେ ସଂକ୍ରମିତ ହେବାର ବିପଦ ରହିଛି। କିନ୍ତୁ ଦୁଇ ତୃତୀୟାଂଶ ଲୋକଙ୍କର କରୋନା ବିରୋଧରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ଆଇସିଏମଆର ଦ୍ୱାରା କରାଯାଇଥିବା ଚତୁର୍ଥ ସେରୋ ସର୍ଭେରେ ଏହି ତଥ୍ୟ ମିଳିଥିବା ନେଇ ଆଇସିଏମଆର ଡିଜି ବଳରାମ ଭାର୍ଗବ ସୂଚନା ଦେଇଛନ୍ତି। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଦେଶର ୭୦ ଜିଲ୍ଲାରେ ୨୮ହଜାର ୯୭୫ ଲୋକଙ୍କୁ ନେଇ ଏହି ସର୍ଭେ ହୋଇଥିଲା।

ସର୍ଭେ ଅନୁସାରେ ପ୍ରାୟ ୬୭.୬ ପ୍ରତିଶତ ଲୋକଙ୍କଠାରେ ସେରୋ ପ୍ରିଭେଲାନ୍ସ ରହିଛି। ୬ରୁ ୯ ବର୍ଷ ପିଲାଙ୍କଠାରେ ସେରୋ ପ୍ରିଭେଲାନ୍ସ ୫୭.୨ ପ୍ରତିଶତ ରହିଥିବାବେଳେ ୧୦ରୁ ୧୭ ବର୍ଷ ମଧ୍ୟରେ ୬୧.୬ ପ୍ରତିଶତ, ୧୮ରୁ ୪୪ ମଧ୍ୟରେ ୬୬.୭ ପ୍ରତିଶତ, ୪୫ରୁ ୬୦ ବର୍ଷ ମଧ୍ୟରେ ୭୭.୬ ପ୍ରତିଶତ ରହିଛି। ଏଥିସହିତ ଟିକା ନେଇଥିବା ଲୋକଙ୍କଠାରେ ସେରୋ ପ୍ରିଭେଲାନ୍ସ ଅଧିକ। ପ୍ରଥମ ଡୋଜ୍ ନେଇଥିବା ଲୋକଙ୍କଠାରେ ୮୧ ପ୍ରତିଶତ ଓ ଦ୍ୱିତୀୟ ଡୋଜ୍ ପରେ ୮୯.୮ ପ୍ରତିଶତ ପ୍ରିଭେଲାନ୍ସ ରହିଛି। ଟିକା ନେଇନଥିବା ଲୋକଙ୍କଠାରେ ୬୨.୩ ପ୍ରତିଶତ ସେରୋ ପ୍ରିଭେଲାନ୍ସ ଥିବା ସର୍ଭେରୁ ଜଣାପଡ଼ିଛି। ହେଲେ ଏବେ ବି ବିପଦ ଟଳିନି ତେଣୁ ସମସ୍ତେ ସତର୍କ ରହିବା ଜରୁରୀ ବୋଲି ଭାର୍ଗବ କହିଛନ୍ତି।