ଓ୍ବାଶିଂଟନ,ଏଜେନ୍ସି: ଆମେରିକାରେ ସେନା ବିମାନ ଦୁର୍ଘଟଣା । ଟ୍ରେନିଂ ସମୟରେ କ୍ରାସ ହେଲା ସେନା ବିମାନ । ଫଳରେ ଦୁଇ ସୁରକ୍ଷାକର୍ମୀଙ୍କର ମୃତ୍ୟୁ । ଆମେରିକା ଅଲବାମାର ହଣ୍ଟସବିଲେ 5୩ ନମ୍ବର ଜାତୀୟ ରାଜପଥ ନିକଟରେ ଏ ଦୁର୍ଘଟଣା ହୋଇଥିବା ନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଅନୁସାରେ, ବୁଧବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଅଲବାମାର ହଣ୍ଟସବିଲେ ନିକଟରେ ଅଭ୍ୟାସ କରୁଥିବା ସମୟରେ ସେନା ବିମାନ ଦୁର୍ଘଟଣା ହୋଇଥିଲା । ଫଳରେ ଦୁଇ ନ୍ୟାସନାଲ ଗାର୍ଡମ୍ୟାନଙ୍କ ମୃତ୍ୟୁ ହୋଇଛି ।
ବିମାନ କ୍ରାସ ହୋଇ ଦୁର୍ଘଟଣା ହେବା ଫଳରେ ବିମାନରେ ନିଆଁ ଲାଗିଯାଇଥିଲା । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ବିମାନ ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ନିଆଁରେ ଜୀବନ୍ତ ଦଗ୍ଧ ହୋଇଥିଲେ ସୁରକ୍ଷାକର୍ମୀ । ଏନେଇ ହଣ୍ଟସବିଲେ ଜରୁରୀକାଳୀନ ସେବା ପକ୍ଷରୁ ସୂଚନା ଦିଆଯାଇଛି ।
ଏନେଇ ଆସିଷ୍ଟାଣ୍ଟ ଜେନେରାଲ ବ୍ରିଗେଡିୟର୍ ଜେନେରାଲ୍ ୱାର୍ଣ୍ଣର ରାଁସ କହିଛନ୍ତି,”ଏହି ଛାତିଥରା ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଭଗବାନ ତାଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଧୌର୍ଯ୍ୟ ଦିଅନ୍ତୁ ।” ତେବେ ବର୍ତ୍ତମାନ ସୁଦ୍ଧା ସେନା ବିମାନ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଜାରି ରହିଥିବା ନେଇ ବିଭାଗ ପକ୍ଷରୁ କୁହାଯାଇଛି ।