ସ୍କୁଲ ପରିସରରେ ଥିବା ପାଇଖାନା ଛାତରୁ ପଡି ଜଣେ ଛାତ୍ର ମୃତ, ଜଣେ ଗୁରୁତର

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ସହର ଟିକ୍ରାପଡରେ ଥିବା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ପରିସରରେ ଥିବା ଅବ୍ୟବହୃତ ଓ ଅବହେଳିତ ପାଇଖାନା ଛାତରୁ ପଡି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଛାତ୍ର ଗୁରୁତର ଭାବେ ଆହତ ହୋଇଥିବା ଜଣାଯାଇଛି। ସେଠାରୁ ଆହତଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୃତ ଛାତ୍ର ଜଣଙ୍କ ମାଲପଡ଼ାର ସବିତା ଖର୍ସେଲଙ୍କ ପୁଅ ଅତୀସ ଖର୍ସେଲ ବୋଲି ଜଣାପଡ଼ିଛି। ଅନ୍ୟପଟେ ଅତୀସଙ୍କ ବାପା ନଥିବା ବେଳେ ସେ ପିପି ଏକାଡେମୀ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ। ଗୁରୁତର ଆହତ ଛାତ୍ର ଜଣଙ୍କ ମଧ୍ୟ ମାଲପଡ଼ାର ପ୍ରଦ୍ୟୁମ୍ନ ଷାଣ୍ଡଙ୍କ ପୁଅ ଶୁଭ୍ରାଂଶୁ ଷାଣ୍ଡ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ସ୍କୁଲ ପରିସରରେ ପରିତ୍ୟକ୍ତ ତଥା ଅବ୍ୟବହୃତ ଅବସ୍ଥାରେ ଏକ ପାଇଖାନା ରହିଛି। ଆଜି ସ୍କୁଲ ଖୋଲା ଥିଲେ ମଧ୍ୟ ଏହି ଛାତ୍ର ଦ୍ୱୟ ସ୍କୁଲ ନଯାଇ ସାଦା ପୋଷାକରେ ଆସି ଟିକ୍ରାପଡା ସ୍କୁଲ ପରିସରକୁ ଯାଇଥିଲେ।

ପରେ ସେମାନେ ପରିତ୍ୟକ୍ତ ଅବସ୍ଥାରେ ଥିବା ପାଇଖାନା ଉପରକୁ ଚଢ଼ିଥିଲେ। ଏହି ସମୟରେ ଉଭୟ ପାଇଖାନା ଛାତରୁ ଖସି ପଡିଥିଲେ। ଏହି ସମୟରେ ସେମାନଙ୍କ ଉପରେ ସିମେଣ୍ଟର ଏକ ଫାଳକ ମଧ୍ୟ ପଡ଼ିଯାଇଥିଲା। ଯାହାକି ଅତୀସର ଦେହ ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ସେହିପରି ଶୁଭ୍ରାଂଶୁଙ୍କ ଗୋଡରେ ଫଳକ ପଡିବାରୁ ସେ ଗୁରୁତର ଆହତ ହୋଇଥିଲେ। ସଙ୍ଗେସଙ୍ଗେ ଘଟଣାସ୍ଥଳରୁ ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ଅତୀସଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ଶୁଭ୍ରାଂଶୁଙ୍କ ଚିକିତ୍ସା ଜାରି ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ସ୍କୁଲ ପରିସରରେ ପିଲାମାନେ ଖେଳାବୁଲା କରୁଥିବା ବେଳେ ଏଭଳି ଏକ ପରିତ୍ୟକ୍ତ ପାଇଖାନାକୁ ଭାଙ୍ଗି ଦିଆନଯାଇ କାହିଁକି ରଖା ଯାଇଥିଲା ବୋଲି ପ୍ରଶ୍ନ ହେଉଛି।