ଅନ୍ୟ ଜାତିର ଭୋଜି ଖାଇ ବାସନ୍ଦ ହେଲେ ଦୁଇ ଭଉଣୀ, ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମାଳି ସମାଜ ପ୍ରଶାସନର ଦ୍ୱାରସ୍ତ

କୋରାପୁଟ,ଏନ୍ଏନ୍ଏସ୍: ବିଭିନ୍ନ ଅନ୍ଧ ବିଶ୍ୱାସରୁ ଦୂରେଇ ରହିବା ଓ ଗ୍ରାମାଞ୍ଚଳ ଲୋକଙ୍କୁ ସଚେତନତା କରି ଜନଜାଗରଣ ସୃଷ୍ଟି କରିବାକୁ ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ କାମ କରୁଥିଲେ ମଧ୍ୟ ଜିଲ୍ଲାରୁ ଏଯାଏ ଅନ୍ଧ ବିଶ୍ୱାସ ହଟିନାହିଁ। ସଚେତନତାର ଅଭାବ ହେତୁ ଆଜିବି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜାତିପ୍ରତିର ଦ୍ୱାହି ଦେଇ ଲୋକଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯିବା ସହ ସର୍ବସାଧାରଣରେ ଅପମାନିତ କରାଯାଉଛି।

ଛୋଟ ଜାତିର ଭୋଜିରେ ଯୋଗ ଦେବା ମହଙ୍ଗା ପଡିଛି ଦୁଇ ଯୁବତୀଙ୍କୁ ଓ ଶେଷରେ ଗାଁ ମୁଖିଆର ନିର୍ଦ୍ଦେଶରେ ଜାତିରେ ମିଶିବାକୁ ସେମାନଙ୍କୁ ଲଣ୍ଡା ହେବାକୁ ପଡୁଛି। ଏପରି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ ଟାଙ୍କୁଆ ପଞ୍ଚାୟତରେ। ସୂଚନା ଅନୁଯାୟୀ, ଗତମାସ ୭ତାରିଖରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପୁଅ ନଥିବାରୁ ଶୁଦ୍ଧିକ୍ରିୟା କାର୍ଯ୍ୟ କରିବାକୁ ଦୁଇଝିଅ ବାହାରିଥିଲେ। ତେବେ ବାପାଙ୍କ ମୃତ୍ୟୁ ପୂର୍ବରୁ ଦୁଇଝିଅ ଗ୍ରାମର ଏକ ଅନ୍ୟ ଜାତିର ବାହାଘର ଭୋଜି ଖାଇଥିବାରୁ ଜାତିଭାଇ ସେମାନଙ୍କ ଦଶାହ କାର୍ଯ୍ୟରେ ସାମିଲ୍ ହେବାକୁ ମନା କରିଥିଲେ। ଦୁଇ ଭଉଣୀ ଲଣ୍ଡା ହୋଇ ଜାତିରେ ମିଶିବା ପରେ ଜାତିଭାଇ ବାପାଙ୍କ ଦଶାହରେ ଯୋଗଦେବେ ବୋଲି ଗାଁ କମିଟି କହିବାରୁ ଗାଁ ମୁଖିଆ ସେମାନଙ୍କୁ ଲଣ୍ଡା ହେବାକୁ ପରାମର୍ଶ ଦେଇଥିଲେ।

ଗାଁ’ ମୁଖିଆଙ୍କ ନିର୍ଦ୍ଦେଶକ୍ରମେ ବାପାଙ୍କ ଶୁଦ୍ଧିକ୍ରିୟା କାର୍ଯ୍ୟ କରିବାକୁ ୨ଭଉଣୀ ବାଧ୍ୟ ହୋଇ ଲଣ୍ଡା ହୋଇ ସମସ୍ତ ଦାୟିତ୍ୱ ତୂଲାଇଥିଲେ। ଘଟଣା ସମ୍ପର୍କରେ କୋରାପୁଟ ଜିଲ୍ଲା ମାଳି ସମାଜ ବିକାଶ ପରିଷଦ ଜାଣିବା ପରେ ଦୁଇ ଭଉଣୀଙ୍କୁ ନ୍ୟାୟ ଦେବାକୁ ଆଗେଇ ଆସିଛି। ମାଳି ସମାଜ ବିକାଶ ପରିଷଦ ସଭାପତି ଦାସରଥି ମାଳି ଏ ସମ୍ପର୍କରେ ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ଅଭିଯୋଗ କରି ପରମ୍ପରାର ଦ୍ୱାହି ଦେଇ ୨ ଭଉଣୀଙ୍କୁ ଲଣ୍ଡା କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଜୟପୁର ଉପ-ଜିଲ୍ଲାପାଳ ଲୋକନାଥ ଦଳବେହେରା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।