ନୂଆଦିଲ୍ଲୀ,ଏଜେନ୍ସି: ଭାରତ ବିରୋଧରେ ନେପାଳର ବୟାନବାଜି ମଧ୍ୟରେ ଆଜି ଦୁଇ ଦେଶ ମଧ୍ୟରେ ଆଲୋଚନା ହେବ। କାଠମାଣ୍ଡୁରେ ହେବାକୁ ଥିବା ଏହି ଆଲୋଚନାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବ ଭାରତ। ନେପାଳରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବିଜୟ ମୋହନ କ୍ଵାତ୍ରା ଏବଂ ନେପାଳର ବୈଦେଶିକ ସଚିବ ଶଙ୍କର ଦାସ ବୈରାଗୀଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆର୍ଥିକ ଏବଂ ବିକାଶ ପରିଯୋଜନାରେ ଆଲୋଚନା ହେବ। ତେବେ ଏହି ବାର୍ତ୍ତାଳାପରେ ନେପାଳର ବିବାଦୀୟ ନକ୍ସା, ସୀମାରେ ଦୁଇ ଥର ଫାଇରିଂ ଓ ବନ୍ୟା ନିୟନ୍ତ୍ରଣରେ ଅସହଯୋଗ ବିଷୟ ଆଲୋଚନା ହେବ।
ସୂଚନା ଯୋଗ୍ୟ, ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଏବଂ ଲିମ୍ପ୍ୟୁଧାରାକୁ ନିଜର ନକ୍ସାରେ ଦର୍ଶାଇବା ପରେ ନେପାଳ-ଭାରତ ମଧ୍ୟରେ ସୀମା ବିବାଦ ଆରମ୍ଭ ହୋଇଥିଲା। ସେହିପରି ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନିଜ ଦେଶରେ ବ୍ୟାପିଥିବା କରୋନାକୁ ଭାରତ ଆଣିଛି ବୋଲି ଦର୍ଶାଇବା ସହ ପ୍ରକୃତ ଅଯୋଧ୍ୟା ନେପାଳରେ ଅଛି ବୋଲି କହିଥିଲେ। ଏଥିସହିତ ଭାରତ ନକଲି ଅଯୋଧ୍ୟା ନିର୍ମାଣ କରି ସାଂସ୍କୃତିକୁ ଜବରଦଖଲ କରୁଛି। କିନ୍ତୁ ଭାରତ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଥିଲା। ନେପାଳ ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରିବା ପରେ ଭାରତ ଏବେ କଥାବାର୍ତ୍ତା ଆରମ୍ଭ କରିବାକୁ ଯାଉଛି।