ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରର ପାଲଘର ଅଞ୍ଚଳରେ ଭିଡ଼ ହିଂସା ମାମଲାରେ ପୁଲିସ ୧୦୧ ଜଣଙ୍କୁ ଗିରଫ କରିଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶବ୍ୟାପୀ କରୋନା ଭୂତାଣୁକୁ ନେଇ ଲକଡାଉନ ଲାଗୁ ହୋଇଥିବାବେଳେ ଗତ ଶୁକ୍ରବାର ଏଠାରେ ଏକ ଲଜ୍ଜାଜନକ ଏବଂ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ପ୍ରାୟ ୨୦୦ ଲୋକ ମିଶି ୨ ଜଣ ସାଧୁ ଏବଂ ଜଣେ ଡ୍ରାଇଭରଙ୍କୁ ପିଟି ପିଟି ହତ୍ୟା କରିଥିଲେ। ପୁଲିସ ଉପସ୍ଥିତିରେ ଏହି ଘଟଣା ଘଟିଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି, ପାଲଘର ଘଟଣାରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି। ଘଟଣା ପରେ ପୁଲିସ ଏହାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଏଭଳି ଲଜ୍ଜାଜନକ ଘଟଣାର ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦିଆଯିବ।
ସିଏମ୍ ଯୋଗୀ ଆଦିତ୍ୟନାଥ ତାଙ୍କ ଟ୍ୱିଟରରେ ଲେଖିଛନ୍ତି, ‘ମୁଁ ମହାରାଷ୍ଟ୍ରର ପାଲଘରର ଜୁନା ଆଖଡାର ସାଧୁ ସ୍ୱାମୀ କଳ୍ପବୃକ୍ଷ ଗିରି ଜି, ସ୍ୱାମୀ ସୁଶୀଲ ଗିରି ଜି ଏବଂ ତାଙ୍କ ଡ୍ରାଇଭର ନୀଲେଶ ତେଲଗଡେ ଜୀଙ୍କୁ ହତ୍ୟା ଘଟଣାରେ ଗତ ସନ୍ଧ୍ୟାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ କଥା ହୋଇଥିଲି। ଏବଂ ଘଟଣାର ସାମିଲ ଥିବା ସମସ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲି ।
ଏଥିସହ ସିଏମ ଯୋଗୀ ଆଦିତ୍ୟନାଥ ଲେଖିଛନ୍ତି ଯେ ମହାରାଷ୍ଟ୍ରର ମାନ୍ୟବର ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ଯେ କିଛି ଲୋକଙ୍କୁ ଗିରଫ କରାଯାଇଛି ଏବଂ ଅବଶିଷ୍ଟ ଲୋକଙ୍କୁ ଚିହ୍ନଟ କରାଯାଇଛି ସେମାନଙ୍କୁ ମଧ୍ୟ ଖୁବ ଶୀଘ୍ର ଗିରଫ କରାଯିବ ଏବଂ ସେମାନଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଭିଡ ହିଂସା ମାମଲାରେ ବର୍ତ୍ତମାନ ସୁଦ୍ଧା ୧୦୧ ଜଣଙ୍କୁ ଗିରଫ କରାଯାଇଛି ।
ସୂଚନାନୁସାରେ ଗତ ୧୬-୧୭ ଏପ୍ରିଲର ମଧ୍ୟବର୍ତ୍ତୀ ରାତିରେ, ଲକଡାଉନ ଥିବା ବେଳେ, ପାଲଘର ଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ଏକ ସ୍ଥାନରେ ଏଭଳି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଥିଲା ଜ୍ଝ ପାଲଘରର ଗାଡଚିଞ୍ଚଲେ ଗାଁର ମୁମ୍ବାଇରୁ ସୁରଟକୁ ଯାଉଥିବା ଦୁଇଜଣ ସାଧୁଙ୍କ କାରକୁ ଅଟକାଇ ଉପସ୍ଥିତ ଥିବା ଭିଡ ସେମାନଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଭିଡ ହତ୍ୟାର ଶିକାର ହୋଇଥିବା ସାଧୁମାନେ ମୁମ୍ବାଇର ଯୋଗେଶ୍ୱରୀ ହନୁମାନ ମନ୍ଦିରରୁ ଆସିଥିଲେ।
ଉଭୟ ସାଧୁ ତାଙ୍କ ଗୁରୁଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ମୁମ୍ବାଇରୁ ସୁରଟକୁ ଯାଉଥିଲେ, କିନ୍ତୁ ଲକଡାଉନ ଚାଲିଥିବାରୁ ପୋଲିସ ସେମାନଙ୍କୁ ରାଜପଥରେ ଯିବାକୁ ଅଟକାଇଥିଲା । ତା’ପରେ ଇକୋ କାରରେ ଥିବା ସାଧୁମାନେ ଗ୍ରାମାଞ୍ଚଳ ରାସ୍ତା ଦେଇ ଯିବା ସମୟରେ ଏଭଳି ହତ୍ୟାର ଶିକାର ହୋଇଥିବା ଜଣାପଡିଛି। ସ୍ଥାନୀୟ ପୋଲିସର ସୂଚନାନୁସାରେ, ଗୁଜବ କାରଣରୁ ଦୁଇ ସାଧୁଙ୍କୁ ଗ୍ରାମବାସୀ ପିଲା ଚୋର ଭାବିଥିଲେ ଯାହା ଫଳରେ ସେମାନଙ୍କୁ ପିଟି ପିଟି ହତ୍ୟା କରିଥିଲେ।