ଅଭିନେତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣା: ଧରାପଡିଲେ ଦୁଇ ରୋଡ୍ ରୋମିଓ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାତି ଅଧରେ ବିଚ୍ ରାସ୍ତାରେ ଉତ୍ପାତ କରିବା ସହ ଜଣେ ଅଭିନେତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଦୁଇ ରୋଡ୍ ରୋମିଓକୁ ପୁଲିସ ଗିରଫ କରିଛି। ସେମାନଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ତଦନ୍ତ ଚାଲିଥିବାରୁ ପୁଲିସ ଅଭିଯୁକ୍ତଙ୍କ ନାଁ କହିବାକୁ ମନା କରିଦେଇଛି। ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି। ତେବେ ଏହି ଘଟଣାରେ ଅଭିନେତ୍ରୀଙ୍କୁ ସହାୟତା ପ୍ରଦାନ କରିଥିବା କନଷ୍ଟେବଲ ପ୍ରିୟରଂଜନ ସାହୁଙ୍କୁ ପୁଲିସ କମିଶନର ସମ୍ବର୍ଦ୍ଧିତ କରିଛନ୍ତି।

ଗତ ମଙ୍ଗଳବାର ରାତିରେ ଅଭିନେତ୍ରୀ ବବି ପରିଡା ଖୋର୍ଦ୍ଧାରୁ ସୁଟିଂ ସାରି ସହଯୋଗୀଙ୍କ ସହ କଟକ ଫେରୁଥିଲେ। ରାତି ପ୍ରାୟ ଗୋଟାଏ ବେଳେ ସିଆରପି ଓଭରବ୍ରିଜ୍‍ ସର୍ଭିସ ରୋଡ ରାସ୍ତାରେ ତାଙ୍କ କାର୍‍ ସମ୍ମୁଖରେ ଦୁଇଜଣ ମଦ୍ୟପ ଯୁବକ ବାଟ ଓଗାଳିଥିଲେ। ତାଙ୍କ ଗାଡିରେ ସର୍ପିଳ ଗତିରେ ବାଇକ ଚଳାଇ ଉତ୍ପାତ କରିଥିଲେ। ଏପରିକି ହାତରେ ମଦବୋତଲ ଧରି ଆତଙ୍କ ରଚିବା ସହ ଅଶ୍ଲୀଳ ଇଙ୍ଗିତ ପ୍ରଦର୍ଶନ କରିଥିଲେ। ପରେ ବିୟର ବୋଲତରେ ନିଆଁ ଲଗାଇ କାର୍‍ ଉପରକୁ ଫୋପାଡିବାକୁ ଉଦ୍ୟମ କରିଥିଲେ।

ରୋଡ ରୋମିଓଙ୍କ ଉତ୍ପାତ ଅସହ୍ୟ ହେବା ଓ ସେମାନଙ୍କୁ ରାସ୍ତା ନଛାଡିବାରୁ ସେ ତୁରନ୍ତ ପୁଲିସ କଣ୍ଟ୍ରୋଲ ରୁମ (୧୦୦)କୁ ଫୋନ୍‍ କରିଥିଲେ। କିଛି ସମୟ ପରେ ପିସିଆର ଭ୍ୟାନ ଆସୁଥିବା ଦେଖି ଯୁବକମାନେ ପଳାଇଯାଇଥିଲେ। ହେଲେ ଅଭିନେତ୍ରୀ ନୂଆପଲ୍ଲୀ ଥାନାକୁ ଯାଇ ସହାୟତା ମାଗିଥିଲେ। ପୁଲିସ ତାଙ୍କୁ ଆଇନ ଅନୁସାରେ ପିସିଆର ଯୋଗାଇ ଏସକଟ କରି ଘରେ ଛାଡିଥିଲା। ଏନେଇ ଅଭିନେତ୍ରୀ ଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।