ମାଓବାଦୀଙ୍କୁ ଗୁଳି ଯୋଗାଇଥିବା ୨ ପୁଲିସ ଗିରଫ

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲାର ୨ ଜଣ ପୁଲିସ କର୍ମଚାରୀଙ୍କୁ ଗତକାଲି ମାଓବାଦୀଙ୍କୁ ବନ୍ଧୁକ ଓ ଗୁଳି ଯୋଗାଇ ଦେଇଥିବା ଅଭିଯୋଗରେ ଗିରଫ କରାଯାଇଛି। ସୁକୁମା ଜିଲ୍ଲାର ଅସ୍ତ୍ରଶସ୍ତ୍ର ଗୋଦାମ ଦାୟିତ୍ୱରେ ଥିବା ପୁଲିସ ଏଏସଆଇ ଓ ହେଡ କନଷ୍ଟେବଲ ମାଓବାଦୀଙ୍କୁ ବନ୍ଧୁକ ଓ ଗୁଳି ଯୋଗାଉଥିବା ଘଟଣାର ପର୍ଦ୍ଦା ଫାସ ହୋଇଛି। ଏ ସମ୍ବନ୍ଧରେ ସୁକୁମା ଏସପି ସଲଭ ସିହ୍ନା ପ୍ରକାଶ କରିଛନ୍ତି ଯେ, ଗତ ଜୁନ୍ ୪ ତାରିଖ ଜଣେ ବ୍ୟକ୍ତି ମାଓବାଦୀଙ୍କ ଗୁଳି ଯୋଗାଇ ଦେବାର ରହିଥିବା ଏକ ବିଶେଷ ସୂତ୍ରରୁ ଖବର ପାଇ ଧମତରୀ ଗ୍ରାମର ମନୋଜ ଶର୍ମା ଓ ବାଲୋଦ ଗ୍ରାମର ହରି ଶଙ୍କର ଗେଡାମଙ୍କୁ ମାଲକାନଗିରି ଚେକ ପୋଷ୍ଟ ନିକଟରେ ୩୯୫ ଟି ଗୁଳି ସହ ଗିରଫ କରିଥିଲା।

ସେହିପରି କାଙ୍କେର ଜିଲ୍ଲାରେ ମଧ୍ୟ ଦୁଇଜଣଙ୍କୁ ୬୯୫ ଟି ବିଭିନ୍ନ ବନ୍ଧୁକର ଗୁଳି ସହ ଗିରଫ କରାଯାଇଥିଲା । ଏହି ସମସ୍ତଙ୍କ ସମ୍ପର୍କ ମାଓ ନେତାଙ୍କ ଥିବା ଖବର ପାଇବା ପରେ ଅଧିକ ତଦନ୍ତ ପୁଲିସ ଆରମ୍ଭ କରିଥିଲା। ଏଥିପାଇଁ ଏକ ଏସଆଇଟି ଗଠନ କରି ଏହି ଗୁଳି ମାଓବାଦୀମାନଙ୍କୁ କେଉଁଠାରୁ ମିଳୁଛି ସେ ସମ୍ବନ୍ଧରେ ତଦନ୍ତ ବେଳେ ଜବତ ଗୁଳି ପୁଲିସ ବିଭାଗର ବୋଲି ଜଣାପଡ଼ିବା ପରେ କିଛି ପୁଲିସ କର୍ମଚାରୀଙ୍କ ଉପରେ ସନ୍ଦେହ ହୋଇଥିଲା। ପରେ ସୁକୁମା ଅସ୍ତ୍ରଶସ୍ତ୍ର ଗୋଦାମ ଦାୟିତ୍ୱରେ ଥିବା ଏଏସଆଇ ଆନନ୍ଦ ଯାଟବ ଓ ହେଡ କନଷ୍ଟେବଲ ସୁଭାଷ ସିଂଙ୍କୁ ପଚରାଉଚରା ପରେ ସେମାନେ ସଂପୃକ୍ତ ଥିବା ଜାଣି ପୁଲିସ ଗିରଫ କରିଛି। ବର୍ତମାନ ମଧ୍ୟ ଏସଆଇ ପକ୍ଷରୁ ତଦନ୍ତ ଜାରୀ ରହିଛି ଓ ବିଭିନ୍ନ ବିନ୍ଦୁ ଉପରେ ତଦନ୍ତ କରାଯାଉଛି ବୋଲି ଏସ.ପି ଶ୍ରୀ ସିହ୍ନା ପ୍ରକାଶ କରିଛନ୍ତି।