ରାଷ୍ଟ୍ରପତିଙ୍କଠାରୁ ଜାତୀୟ ପୁରସ୍କାର ଗ୍ରହଣ କଲେ ୨ ଓଡ଼ିଆ ଶିକ୍ଷକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତବର୍ଷ ପାଇଁ ସମ୍ମାନଜନକ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ଓଡ଼ିଶାର ଦୁଇ ଜଣ ଶିକ୍ଷକ ତାପସ କୁମାର ମହାନ୍ତି ଓ ବସନ୍ତ କୁମାର ସାହୁ ସମ୍ମାନିତ ହୋଇଛନ୍ତି। ଏହି ଅବସରରେ ରାଜ୍ୟବ୍ୟାପୀ ଦୁଇ ଶିକ୍ଷକଙ୍କୁ ଅଭିନନ୍ଦନର ସୁଅ ଛୁଟୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ କରି ଅଭିନନ୍ଦନ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷାକୁ ସରସ, ସୁନ୍ଦର ଓ ଆନନ୍ଦମୟ କରିବା ପାଇଁ ଶିକ୍ଷକ ବସନ୍ତ କୁମାର ସାହୁ କେଣ୍ଢଇ ଓ ବଣ୍ଣର୍ମାଳାର ଛାୟାକୁ ଶିକ୍ଷାଦାନର ମାଧ୍ୟମ ଭାବେ ବ୍ୟବହାର କରିଥାଆନ୍ତି। ଛାତ୍ରଛାତ୍ରୀଙ୍କୁ କଣ୍ଢେଇ ତିଆରି କଳାକୁ ମଧ୍ୟ ଏକ ବିଷୟ ଭାବେ ଉପସ୍ଥାପନ କରିଥାଆନ୍ତି। ତାଙ୍କର ଏହି ଉଦ୍ୟମକୁ ସବୁସ୍ତରରେ ପ୍ରସଂଶା କରାଯିବା ସହ ଅନେକ ଶିକ୍ଷକ ଏହାକୁ ଅନୁସରଣ କରୁଛନ୍ତି। ତାଙ୍କର ଏହି ସ୍ୱତନ୍ତ୍ର କଳା ଜାତୀୟସ୍ତରରେ ସ୍ୱୀକୃତି ଲାଭ କରିଛି। ଏଥିପାଇଁ ୨୦୨୦ ମସିହାର ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି।

ରାଷ୍ଟ୍ରପତି ଭବନରୁ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ଭର୍ଚୁଆଲ ଉତ୍ସବ ମାଧ୍ୟମରେ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ସହିତ ଆଲୋଚନା କରିଥିଲେ। ରାଷ୍ଟ୍ରପତିଙ୍କ ପକ୍ଷରୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ରାଷ୍ଟ୍ରପତି ପଦକ ଓ ମାନପତ୍ର ପ୍ରଦାନ କରିବା ସହିତ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସେହିପରି ଓଡ଼ିଶାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ବିକାଶ ନିମନ୍ତେ ନିରନ୍ତର କାର୍ଯ୍ୟ କରୁଥିବା ଭୁବନେଶ୍ୱର ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଶିକ୍ଷକ ତାପସ କୁମାର ମହାନ୍ତି ମଧ୍ୟ ରାଷ୍ଟ୍ରପତିଙ୍କ ଠାରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଚଳିତବର୍ଷର ସମ୍ମାନଜନକ ରାଷ୍ଟ୍ରୀୟ ଶିକ୍ଷା ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ଶ୍ରୀ ମହାନ୍ତିଙ୍କ ଲିଖିତ ‘ଲର୍ଣ୍ଣି ବେଲ୍’ ପୁସ୍ତକ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ଦ୍ୱାରା ଆଦୃତ ହୋଇପାରିଛି ଏବଂ ବ୍ରେଲ୍ ‘ୱାର୍ଡ୍ ବୁକ’ର ପ୍ରସ୍ତୁତି ତାଙ୍କୁ ଅନନ୍ୟ ପରିଚୟ ଦେଇଛି।