ଆସୁଛି ଆଉ ଦୁଇଟି ଲଘୁଚାପ, ଆସନ୍ତା ୧୦ ଦିନ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବଙ୍ଗୋପସାଗରକୁ ଲଗାତାର ଆଉ ଦୁଇଟି ଲଘୁଚାପ ଆସୁଛି ଫଳରେ ଆସନ୍ତା ୧୦ ଦିନ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୫ ଓ ୨୮ ତାରିଖରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଏହା ପ୍ରଭାବରେ ବିଶେଷକରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷ ହେବ ବୋଲି ପାଣିପାଗ ସଂସ୍ଥା ଆଶଙ୍କା କରିଛି। ସୂଚନା ଅନୁଯାୟୀ ୨୪ ତାରିଖରେ ଆସିବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗରରେ ୨୫ ତାରିଖରେ ଲଘୁଚାପ ହେବ। ସେହିପରି ୨୬ ତାରିଖରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୮ ତାରିଖରେ ଉତ୍ତର – ପୂର୍ବ ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

ପ୍ରବଳ ବର୍ଷା ଯୋଗୁଁ ବନ୍ୟା ହେବାର ଆଶଙ୍କା ରହିଥିବା ସୂଚନା ଦିଆଯାଇଛି। ଏପଟେ ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷ ଜାରି ରହିଛି। ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗିର, ନୂଆପଡ଼ା, ସୋନପୁର ଆଦି ଜିଲ୍ଲାରେ ଅଧିକ ବର୍ଷା ରେକର୍ଡ ହୋଇଛି। ସେହିପରି ଆଜି କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, ଝାରସୁଗୁଡା, ବରଗଡ, ବଲାଙ୍ଗିର, ନୂଆପଡା ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।