ଧରାପଡ଼ିଲେ ହାଇୱେ ଲୁଟେରା

ବଲାଙ୍ଗିର,ଏନ୍ଏନ୍ଏନ୍: ବଲାଙ୍ଗିର ଜାତୀୟ ରାଜପଥ ଉପରେ ଗାଡ଼ିମାନଙ୍କୁ ଅଟକାଇ ଲୁଟ କରୁଥିବା ଅଭିଯୋଗରେ ପୁଇଁନ୍ତଲା ପୁଲିସ ବୁଧବାର ୨ଜଣ ହାଇୱେ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ସାଲେଭଟା ଗାଁର ନରେନ୍ଦ୍ର ସୁନା ଓରଫ ନରିନ(୩୦) ଓ ନଅଗାଁର ନବୀନ ଭିତିରିଆ ବୋଲି ପୁଇଁନ୍ତଲା ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଥାନାଧିକାରୀ ବି ରୁଦ୍ରିଆ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କ ଠାରୁ ଗୋଟାଏ ମୋଟର ସାଇକଲ, ଦୁଇଟି ମୋବାଇଲ ଫୋନ, ୩ହଜାର ୪ଶହ ଟଙ୍କା ଓ ରୁପା ଅଳଙ୍କାର ଜବତ କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ ଗତ ୨୩ ତାରିଖ ଦିନ ୨ଟା ସମୟରେ ଟ୍ରକ ନଂ ଓଡି-୦୨ବିଏଫ-୦୩୫୬ ଭୁବନେଶ୍ୱରରୁ ସୋନପୁର ହୋଇ ବଲାଙ୍ଗିର ଆସୁଥିବା ବେଳେ ମଲମଣ୍ଡାଠାରେ ଏକ ଆପାଚୀ ମୋଟର ସାଇକଲରେ ୨ଜଣ ଦୁର୍ବୃତ୍ତ ଆସି ତାକୁ ଅଟକାଇଥିଲେ । ଉକ୍ତ ଟ୍ରକ ଡ୍ରାଇଭରଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କଠାରୁ ୩୦ ହଜାର ଟଙ୍କା ଲୁଟିନେଇଥିଲେ । ଏ ନେଇ ଟ୍ରକରେ ଥିବା ବେନୁଧର ବେହେରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କେସ୍ ନଂ ୧୭୦ରେ ଏକ ଲୁଟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଲୁଟେରାମାନେ ବ୍ୟବହାର କରିଥିବା ଆପାଚି ମୋଟର ସାଇକଲ ନରେନର ବୋଲି ଜାଣିବାକୁ ପାଇଥିଲା ଏବଂ ତାକୁ ନବୀନ ସହଯୋଗ କରିଥିବା ମଧ୍ୟ ଜାଣିବାକୁ ପାଇଥିଲା । ଉଭୟଙ୍କୁ ଆଣି ଥାନାରେ ପଚରାଉଚୁରା କରିବା ସମୟରେ ସେମାନେ ଖମାରମୁଣ୍ଡ ହୋଇଥିବା ୪୪ ହଜାର ଟଙ୍କା ଲୁଟ ମାମଲାରେ ମଧ୍ୟ ସାମିଲ ଥିବା ସ୍ୱୀକାର କରିଥିଲେ । ତେଣୁ ଉଭୟଙ୍କ ନାରେ ପୁଲିସ କେସ ନଂ ୧୨୬/୧୦.୦୮.୨୦୧୯ ଓ ୧୭୦/୨୩.୦୯.୨୦୧୯ରେ ୩୯୪ ଦଫାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।