ମାଲକାନଗିରି ପୁଲିସ ନିକଟରେ ୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗରିରି,ଏନ୍ଏନ୍ଏସ୍: ଆଜି ମାଲକାନଗିରି ପୁଲିସ ନିକଟରେ ୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏଥିରେ ଜଣେ ମହିଳା ଲାକେ ପୁନେମ ଓ ଜଣେ ପୁରୁଷ କାନା ମାଡ଼ି ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏମାନେ ଦୀର୍ଘଦିନ ଧରି ମାଓ ସଂଗଠନରେ ସାମିଲ ରହି ବହୁ ପ୍ରମୁଖ କାର୍ଯ୍ୟ ତୁଲାଉ ଥିଲେ। କାନା ମାଡ଼ି ଏସିଏମ ଭାବେ କାର୍ଯ୍ୟ କରୁଥିବା ବେଳେ ତା ନାମରେ ରାଜ୍ୟ ସରକାର ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଓ ଲାକେ ମାଓ ସଂଗଠନର ସଦସ୍ୟା ଭାବେ କାର୍ଯ୍ୟ କରୁଥିବା ବେଳେ ତା ନାମରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ରାଜ୍ୟ ସରକାର ଘୋଷଣା କରିଥିଲେ।

ଏମାନେ ଉଭୟ ବିଚ୍ଛିନ୍ନ ଅଞ୍ଚଳ ମାଓ ସଂଗଠନରେ କାର୍ଯ୍ୟରତ ଥିବାବେଳେ ବିଚ୍ଛିନ୍ନାଞ୍ଚଳ ସ୍ୱାଭିମାନ ଅଞ୍ଚଳରେ ପରିଣତ ହେବା ପରେ ଅଞ୍ଚଳରେ ବିକାଶ କାର୍ଯ୍ୟ ଓ ପୁଲିସର କାର୍ଯ୍ୟ ଦେଖି ଏମାନେ ମାଓ ସଂଗଠନ ଛାଡି ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମାଓ ସଂଗଠନରେ କାର୍ଯ୍ୟ କରୁଥିବା ବେଳେ ତେଲୁଗୁ କ୍ୟାଡ଼ରମାନେ ଅନ୍ୟ ମାଓବାଦୀଙ୍କୁ ଶୋଷଣ କରୁଥିବା ମଧ୍ୟ ଏମାନେ ଅଭିଯୋଗ କରିଛନ୍ତି। ତେବେ ଲାକେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ହତ୍ୟା ସହ ବହୁ ହିଂସାକାଣ୍ଡରେ ଜଡିତ ଥିବା ବେଳେ କାନା ମଧ୍ୟ ବହୁ ହିଂସାକାଣ୍ଡରେ ସାମିଲ ଥିଲେ। ଏହି ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ ମାଓ ସଂଗଠନ ପାଇଁ ଶକ୍ତ ଝଟକା ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ମାଓବାଦୀ ସଂଗଠନ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଲକାନଗିରି ଏସପି ଅନୁରୋଧ କରିଛନ୍ତି।