ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତ ଗଲେ ଜେଲ୍

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅଞ୍ଚଳର ଦୁଇଟି ଭିନ୍ନ ଦୁଷ୍କର୍ମ ମାମଲାର ଦୁଇ ଅଭିଯୁକ୍ତଙ୍କୁ ବାରକୋଟ ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ଉଭୟ ଅଭିଯୁକ୍ତଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବାରକୋଟ ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କ ସହ ଉକ୍ତ ଗ୍ରାମର ରତ୍ନାକର ମହନ୍ତ (୩୪)ପ୍ରେମ ପରେ ମହିଳାଙ୍କ ଅନିଚ୍ଛା ସତ୍ୱେ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପରେ ବିଭିନ୍ନ ସମୟରେ ଧମକ ଚମକ ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ଘଟଣା ସମ୍ପର୍କରେ ମୁହଁ ଖୋଲିଲେ ହତ୍ୟା ଧମକ ଦେଉଥିବାନେଇ ପୀଡିତା ଗତ ମେ’ ୫ତାରିଖରେ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଦୁଷ୍କର୍ମ ସମେତ ବିଭିନ୍ନ ଦଫାରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିବାସହ ଅଭିଯୁକ୍ତକୁ ଅଟକ ରଖି ପଚରାଉଚୁରା କରୁଥିଲା ।

ମାତ୍ର ଅଭିଯୁକ୍ତ ରତ୍ନାକର କରୋନା ସଂକ୍ରମିତ ହୋଇଥିବା କାରଣରୁ ସଙ୍ଗରୋଧରେ ଚିକିତ୍ସିତ ହେଉଥିଲା। ସୁସ୍ଥ ହେବାପରେ ଆଜି ବାରକୋଟ ଥାନା ପୁଲିସ ରତ୍ନାକରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିପରି ବାରକୋଟ ଥାନାଞ୍ଚଳରୁ ଗତ ମେ’ ୧୩ ତାରିଖ ଦିନ ଜଣେ ନାବାଳିକା ନିଖୋଜ ଥିବା ନେଇ ବାରକୋଟ ଥାନାରେ ନାବାଳିକା ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବାରକୋଟ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ତଦନ୍ତ ସମୟରେ ନିଖୋଜ ନାବାଳିକାଙ୍କୁ ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ବରୁଆଁ ଗ୍ରାମର ବିମ୍ବାଧର ବେହେରାଙ୍କ ପୁଅ କଲ୍ୟାଣ ପ୍ରସନ୍ନ ବେହେରା (୨୫) ବିଭିନ୍ନ ପ୍ରଲୋଭନ ଦେଖାଇ ଅପହରଣ କରି ନେଇଥିବା ଜାଣିବାକୁ ପାଇଥିଲେ । ଅଭିଯୁକ୍ତ ର ଗତିବିଧି ଉପରେ ପୁଲିସ କଡା ନଜର ରଖିଥିଲେ ମଧ୍ୟ ଅଭିଯୁକ୍ତ ଚତୁରତାସହ ନାବାଳିକା ସହ ନିଜକୁ ଲୁଚାଇ ରଖିଥିଲା । ତେବେ ଗତକାଲି ଅଭିଯୁକ୍ତ ନିଜ ମାମୁଁ ଘରକୁ ଆସିଥିବା ବିଶ୍ୱସ୍ଥ ସୂତ୍ରରୁ ସୂଚନା ଆଧାରରେ ପୁଲିସ ସେଠାରେ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲେ। ଅଭିଯୁକ୍ତ କଲ୍ୟାଣ ପୂର୍ବରୁ ବିବାହିତ ଥିବା ବେଳେ ନାବାଳିକାକୁ ଅପହରଣ କରିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।