ଏଟିଏମ୍ ଠକେଇ ମାମଲାରେ ଦୁଇ ଭାଇ ଗିରଫ

ପୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଏଟିଏମ ଠକେଇ ମାମଲାରେ ଦୁଇ ଜଣଙ୍କୁ ସାରଙ୍ଗଗଡ଼ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ, ଗତ ଜାନୁଆରୀ ୧୩ ତାରିଖରେ ଗୁଟିଙ୍ଗିଆ ପଞ୍ଚାୟତ ମଲିକପଡା ଗ୍ରାମର ମିଥ ପ୍ରଧାନ ତାଙ୍କ ବ୍ୟାଙ୍କ ଖାତାରୁ ଚାଳିଶହଜାର ଆଠଶହ ଦୁଇ ଟଙ୍କା ଗାଏବ ହୋଇଯାଇଥିବା ନେଇ ନେଇ ସାରଙ୍ଗଗଡ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତଦନ୍ତରୁ ସେହି ଗ୍ରାମର ଦିନେଶ କୁମାର ଦିଗାଳ ଏହି ଟଙ୍କା ଉଠାଇ ନେଇଥିବା ଜଣାପଡିଥିଲା। ମିଥଙ୍କ କହିବା ଅନୁଯାୟୀ ସେ ଟଙ୍କା ଉଠାଣ ପାଇଁ ଗତ ଡିସେମ୍ବର ମାସ ୨୩ ତାରିଖରେ ଦିନେଶ ଦିଗାଳଙ୍କୁ କାର୍ଡ ଦେଇଥିଲେ। କିନ୍ତୁ ଦୀନେଶ ଏଟିଏମର ଫୋଟ ଉଠାଇ ତାଙ୍କ ବଡ ଭାଇଙ୍କ ପାଖକୁ ପଠାଇଥିଲେ। ସେ ଭୁବନେଶ୍ୱରରେ ଏଟିଏମ କାର୍ଡ ଓ ପାସୱାର୍ଡ ବ୍ୟବହାର କରି ଫିଲ୍ପକାର୍ଡରେ ବ୍ୟବହାର କରି ଟଙ୍କା ଉଠାଇ ସେହି ଟଙ୍କାରେ ଏକ ଲାପଟପ୍ କିଣିଥିଲେ। ପୁଲିସ ଲାପଟପକୁ ଜବତ କରିବା ସହ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସାରଙ୍ଗଗଡ ଥାନା ଅଧିକାରୀ ଅନୀତା କିଡୋ ସୂଚନା ଦେଇଛନ୍ତି। ସାରଙ୍ଗଗଡ଼ ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।