କୂଅ ସଫା କରିବାକୁ ଯାଇ ୨ଭାଇଙ୍କ ମୃତ୍ୟୁ

ଭଞ୍ଜନଗର,ଏନ୍ଏନ୍ଏସ୍ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜଗନ୍ନାଥପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଟୁକୁନା ପ୍ରଧାନ ଓ କୈଳାଶ ପ୍ରଧାନ ୨ଭାଇ ନିଜ ପୁତୁରା ବାବୁ ପ୍ରଧାନ(୨୨)ଙ୍କ ସହ କୂଅ ଭିତରେ ପଶି ସଫା କରୁଥିବା ବେଳେ ଭିତରେ ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇପଡିଥିଲେ। ତେବେ କୂଅ ବାହାରେ ଥିବା ଲୋକମାନେ ଭିତରୁ କିଛି କଥାବାର୍ତ୍ତା ନଶୁଣିବାରୁ ଦଉଡି ବାନ୍ଧି ସେମାନଙ୍କୁ ଉପରକୁ ବାହାର କରିଥିଲେ। ଟୁକୁନା ଓ କୈଳାଶଙ୍କ ସହ ପୁତୁରା ବାବୁକୁ ସଂଜ୍ଞାହୀନ ଅବସ୍ଥାରେ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଟୁକୁନା ଓ କୈଳାଶଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଅସୁସ୍ଥ ବାବୁଙ୍କୁ ଭଞ୍ଜନଗର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ବାବୁଙ୍କ ଅବସ୍ଥା ସଂଗୀନ ଥିବାରୁ ଏଠାରୁ ତାକୁ ବ୍ରହ୍ମପୁର ଏମକେସିଜିକୁ ପଠାଇ ଦିଆଯାଇଛି। ଏଭଳି ଘଟଣା ଜଗନ୍ନାଥପ୍ରସାଦ ଇଲାକାରେ ଚହଳ ସୃଷ୍ଟି କରିଛି।