ଦୁଇ ଅଟୋ ଓ ବାଇକ ଧକ୍କା: ବାଇକ ଚାଳକ ମୃତ, ୧୫ ଆହତ

ରାୟଗଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ଦରାଗୁଡା ଥାନା ଅନ୍ତର୍ଗତ ଡିକରଳ ଛକ ନିକଟରେ ୨ଟି ଅଟୋ ଓ ବାଇକ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ୧୫ ଜଣ ଅଟୋରେ ଥିବା ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇଛି। ମୃତକ ଜଣକ ହେଉଛନ୍ତି କୁଚେଇପଦର ପଞ୍ଚାୟତର ଡି. କୋରଳ ଗ୍ରାମର ଗଣେଶ ଝୋଡିଆ।

ଆଜି ଗଣେଶ କୌଣସି କାମରେ ବାଇକ୍ ଯୋଗେ ନୂଆପଡ଼ା ଅଭିମୁଖେ ଯାଉଥିଲେ। ଏହି ସମୟରେ ଆଗରେ ଯାଉଥିବା ଏକ ଅଟୋକୁ ଓଭରଟେକ କରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ଅଟୋ ସହିତ ଧକ୍କା ହୋଇଥିଲା। ଫଳରେ ଦୁଇଟି ଯାକ ଅଟୋ ଘଟଣାସ୍ଥଳରେ ହିଁ ଓଲଟି ପଡିଥିଲା। ଫଳରେ ଅଟୋରେ ବସିଥିବା ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଖଗପତି ଝୋଡିଆ ଏବଂ ଅନ୍ୟ ଜଣଙ୍କର ଅବସ୍ଥା ଗୁରୁତର ହୋଇଛି।

ଖବରପାଇ ଦୋରାଗଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ଆହତମାନଙ୍କୁ ଉଦ୍ଧାର କରି ନୂଆପଡ଼ା ସ୍ଥିତ ଉତ୍କଳ ମେଡିକାଲରେ ଭର୍ତ୍ତି କରିଛି। ସେହିପରି ଗୁରୁତର ଆହତଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ପଠାଇଥିବା ଜଣାପଡ଼ିଛି।