ବଢ଼ଛି ଟ୍ୱିଟର କସରତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନୂଆ ମୋଟରଯାନ ଆଇନ୍ ଲାଗୁ ହେବା ପରେ ରାଜଧାନୀରେ ଗାଡ଼ି ଚାଳକମାନେ ନିୟମ ଉଲ୍ଲଙ୍ଘନ କରି ମୋଟା ଅଙ୍କର ଫାଇନ୍ ଗଣିଛନ୍ତି। ତେବେ ଏହି ଫାଇନ୍ ଦେଇ କେତେକ ବ୍ୟକ୍ତି ପୁଲିସ ଉପରେ ହଠାତ୍ ରାଗିଯାଇଥିଲେ ତ, ଆହୁରି ବହୁ ସଂଖ୍ୟାରେ ଲୋକ ସରକାରଙ୍କୁ ଗାଳିମନ୍ଦ କରି ଘଟଣାସ୍ଥଳରୁ ପଳାଇ ଆସିଥିବା ଦେଖିବାକୁ ମିଳିଛି। ତେବେ କେତେକ ସାଧାରଣ ଯୁବକ ନିୟମ ଉଲ୍ଲଙ୍ଘନକାରୀଙ୍କୁ ସାବାଡ଼ କରିବା ପାଇଁ ଏକ ଭିନ୍ନ ଧରଣର ବାଟ ଖୋଜିଛନ୍ତି। କମିଶନରେଟ୍ ପୁଲିସ ଟ୍ୱିଟର୍ ପେଜ୍ ଓ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଟ୍ୱିଟର୍ ପେଜ୍ରେ ଏମାନେ ନିୟମ ଉଲ୍ଲଙ୍ଘନକାରୀଙ୍କ ଫଟୋ ପୋଷ୍ଟ କରି ସିପିଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ତେବେ ଶ୍ରୀ ଷଡ଼ଙ୍ଗୀ ମଧ୍ୟ ସାଧାରଣ ଲୋକଙ୍କ ଏପରି ଟ୍ୱିଟ୍କୁ ଦେଖି ନିୟମ ଉଲ୍ଲଙ୍ଘନକାରୀମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଉଥିବା ଦେଖିବାକୁ ମିଳିଛି। ଏମିତିକି ସେମାନଙ୍କ ବିରୋଧରେ ଫାଇନ୍ କାଟି ଉକ୍ତ ରସିଦ୍କୁ ପୁଲିସ କମିଶନର ତାଙ୍କ ଟ୍ୱିଟର ପେଜ୍ରେ ପୋଷ୍ଟ କରୁଛନ୍ତି। ତେବେ ନାଗରିକମାନଙ୍କ ଏପରି କାର୍ଯ୍ୟକଳାପକୁ ପୁଲିସ କମିଶନର କେତେକ ପୋଷ୍ଟ୍ରେ ପ୍ରଶଂସା କରିଥିବା ମଧ୍ୟ ଦେଖିବାକୁ ମିଳିଛି। ହେଲେ ଲୋକମାନେ ଏପରି କାମ ମୋଟା ଅଙ୍କର ଫାଇନ୍ର ଶିକାର ପ୍ରତିଶୋଧ ନେବା ପାଇଁ କରୁଛନ୍ତି ନା’ ସାଧାରଣ ନାଗରିକ ହିସାବରେ ପୁଲିସଙ୍କୁ ସାହାଯ୍ୟ କରି ତାଙ୍କର ନିଜ କର୍ତ୍ତବ୍ୟ କରୁଛନ୍ତି। ଏ ନେଇ ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଯୁବକଙ୍କୁ ମୋଟରଯାନ ଆଇନ୍ ପଢ଼ିବାକୁ ସିପିଙ୍କ ପରାମର୍ଶ
ଦିପ୍ତୀରଞ୍ଜନ ଶା ନାମକ ଜଣେ ଯୁବକ ତାଳଚେର ପରିବହନ ବିଭାଗର ଗାଡ଼ିର ଇନ୍ସ୍ୟୁରାନ୍ସ ନଥିବାରୁ ପୁଲିସ କମିଶନରଙ୍କୁ ଟ୍ୱିଟ୍ ଯୋଗେ ଉକ୍ତ ଗାଡ଼ିର ଫଟୋ ପୋଷ୍ଟ୍ କରିବା ସହ ସେ ଗାଡ଼ିର ସମ୍ପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ। ହେଲେ ପୁଲିସ କମିଶନର ସମ୍ପୃକ୍ତ ଯୁବକଙ୍କୁ ମୋଟରଯାନ ଆକ୍ଟ ୧୪୬(୨) ଆଇନ୍ ବିଷୟରେ ପଢ଼ିବାକୁ ଉପଦେଶ ଦେଇଥିଲେ। ଆଇନ୍ ଅନୁଯାୟୀ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସରକାରୀ ସେବାରେ ଯେଉଁ ଗାଡ଼ି ଉପଲବ୍ଧ ଥିବ, ସେ ଗାଡ଼ିର ଇନ୍ସ୍ୟୁରାନ୍ସ ଆବଶ୍ୟକ ରହିନଥାଏ।

ଧନ୍ୟବାଦ ଦେଲେ ପୁଲିସ କମିଶନର
କମିଶନରେଟ୍ ପୁଲିସର ଜଣେ କାର୍ଯ୍ୟରତ ପୁଲିସ କର୍ମଚାରୀ ରାସ୍ତାରେ ତାଙ୍କ ସ୍କୁଟିରେ ଟ୍ରିପଲ୍ ରାଇଡିଂ କରିଥିଲେ। ଏହି ଦୃଶ୍ୟକୁ ଆଲୋକ କୁମାର ପଣ୍ଡା ନାମକ ଜଣେ ଯୁବକ ସିପିଙ୍କୁ ଟ୍ୱିଟର ପେଜ୍ରେ ପୋଷ୍ଟ କରିଥିଲେ। ଏହି ଟ୍ୱିଟ୍କୁ ସିପି ଦେଖିବା ପରେ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଫାଇନ୍ କାଟିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣା ବାବଦରେ ସିପିଙ୍କୁ ଅବଗତ କରାଇଥିବାରୁ ଶ୍ରୀ ଷଡ଼ଙ୍ଗୀ ସମ୍ପୃକ୍ତ ଯୁବକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପୁଲିସ କର୍ମଚାରୀଙ୍କୁ ଫାଇନ୍ ପକାଇ ଲୋକଙ୍କୁ ଜଣାଇଲେ
ନୂଆ ମୋଟରଯାନ ଆଇନ୍ ଲାଗୁ ହେବା ପରେ ପୁଲିସଙ୍କ ମୋଟା ଆଙ୍କର ଫାଇନ୍ ଆଦାୟ ସାଧାରଣ ଲୋକମାନଙ୍କୁ ବହୁତ୍ କଷ୍ଟ ହୋଇଥିଲା। ସେହି ସମୟରେ କେତେକ ବ୍ୟକ୍ତି ପୁଲିସ ଉପରକୁ ମଧ୍ୟ ଅଙ୍ଗୁଳି ଉଠାଇଥିଲେ। ରାଜଧାନୀ ସମେତ ଅନ୍ୟ ସ୍ଥାନଗୁଡ଼ିକରେ ପୁଲିସ କର୍ମାଚାରୀମାନେ ବିନା ହେଲ୍ମେଟ୍ ସମେତ ଟ୍ରିପଲ୍ ରାଇଡିଂରେ ଯାଉଥିବା ଦେଖିବାକୁ ମିଳିଥିଲା। ଏ ନେଇ ସାଧାରଣ ଲୋକମାନେ ମଧ୍ୟ ପୁଲିସ ଉପରେ କେବେ କାର୍ଯ୍ୟାନୁଷ୍ଠାନ ସେ ନେଇ ପ୍ରଶ୍ନ କରିଥିଲେ। ତେବେ ଜଣେ ପୁଲିସ କନଷ୍ଟେବଳ ବିନା ହେଲ୍ମେଟ୍ରେ ଡ୍ରାଇଭ୍ କରିଥିବା ନେଇ ତାଙ୍କ ନାମରେ ଫାଇନ୍ କଟାହୋଇଥିଲା। ଏହାପରେ ଉକ୍ତ ରସିଦ୍କୁ କମିଶନରେଟ୍ ପୁଲିସ ଟ୍ୱିଟର୍ ପେଜ୍ରେ ପୁଲିସ ପକ୍ଷରୁ ଅପ୍ଲୋଡ୍ ହୋଇଥିଲା। ଏହି ପୋଷ୍ଟ୍ରେ ପୁଲିସ ଓ ସାଧାରଣ ଲୋକ ସମସ୍ତେ ସମାନ ବୋଲି ଦର୍ଶାଯାଇଥିବା ଦେଖିବାକୁ ମିଳିଛି।