ପ୍ରେମରେ କେତେ ଯେ ଟ୍ୱିଷ୍ଟ

ଫିଲ୍ମରେ ହିରୋ-ହିରୋଇନଙ୍କ ମନ ଦିଆନିଆ, ପ୍ରେମ, ରୋମାନ୍ସ ଆଉ ଶେଷକୁ ଦୁହେଁ ବାହା ହୋଇ ସୁଖୀ ସଂସାରର ଦୃଶ୍ୟ ଦେଖିଲେ ଆମେ କହୁ ସୁଖଦ ସମାପ୍ତ ବା ହାପି ଏଣ୍ଡିଙ୍ଗ୍। ତେବେ ନାୟକ, ନାୟିକାଙ୍କ ପ୍ରେମଗାଡ଼ି ଯଦି ସୁରୁଖୁରୁରେ ଗଡ଼ିଚାଲିବ ରୁପେଲି ପର୍ଦ୍ଦାରେ, ତା’ହେଲେ କ’ଣ ଭଲ ଲାଗିବ?

ବାଧା, ପ୍ରତିବନ୍ଧକ, ପ୍ରତିରୋଧ, ପ୍ରତିବାଦ ନ ଥିଲେ କି ପ୍ରେମ ଯେ! ନୂଆ ନୂଆ ଟ୍ୱିଷ୍ଟ ନଥିଲେ ପ୍ରେମରେ ମଜା ନଥାଏ। ଉତ୍କଣ୍ଠା ବଢ଼େନି ଦର୍ଶକଙ୍କର। କିଛି ସମୟ ଫିଲ୍ମ ଦେଖିଲା ପରେ ଦର୍ଶକ ଅନୁମାନ କରିନିଅନ୍ତି ଆଗକୁ କ’ଣ ହେବ ବା ହେବାକୁ ଯାଉଛି। ଦର୍ଶକ ଯେମିତି ସହଜରେ ଅନୁମାନ ଲଗାଇପାରିବେନି, ଶେଷ ଯାଏଁ ଉତ୍କଣ୍ଠିତ ରହିବେ, ତାହାକୁ ଦୃଷ୍ଟିରେ ରଖି ପ୍ରଯୋଜକ ଅନନ୍ତ କୁମାର ସାମଲ ତାଙ୍କ ନୂଆ ଫିଲ୍ମରେ ନାନା ପ୍ରକାର ଟ୍ୱିଷ୍ଟ ରଖିଛନ୍ତି ହିରୋ-ହିରୋଇନଙ୍କ ପ୍ରେମରେ। ଏ ଫିଲ୍ମର ନାଁ ରଖାଯାଇଛି ‘ଲଭ୍ ଟ୍ୱିଷ୍ଟ’।

ଅନନ୍ତ ଭାରତୀ ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଏ ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ, ସଂଳାପ ଲେଖିବା ସହ ନିର୍ଦ୍ଦେଶନା ଦେଇଛନ୍ତି ସଚ୍ଚିଦାନନ୍ଦ ସାମଲ। ମ୍ୟୁଜିକ୍ ଦେଇଛନ୍ତି ସୁଶୀଲ ଦଳାଇ। ଗୀତ ଲେଖିଛନ୍ତି ଅରୁଣ ମନ୍ତ୍ରୀ, ବାପୁ ଗୋସ୍ୱାମୀ ଓ ଡ. ନିର୍ମଳ ନାୟକ। ଗୀତରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, ସଞ୍ଜୁ, ବିଷ୍ଣୁ ମୋହନ କବି ଓ ତାରିକ୍ ଅଜିଜ୍।

ମୁଖ୍ୟ ନାୟକ ନାୟିକା ଚରିତ୍ରରେ ଦେଖିବାକୁ ମିଳିବେ ଦେବ, ମନସ୍ମିତା। ଅନ୍ୟାନ୍ୟ ଚରିତ୍ରରେ ଅଜିତ ଦାସ, ମିହିର ଦାସ, ପୁଷ୍ପା ପଣ୍ଡା, ପ୍ରଜ୍ଞା ଓ କାଳୀ ପ୍ରମୁଖ ଅଭିନୟ କରିଛନ୍ତି।