ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ ଓ କିଟ୍ ଗାଉଣ୍ଡ୍ରେ ଚାଲିଥିବା ବିଂଶତମ ପାରା ଆଥ୍ଲେଟିକ୍ସ ଚାମ୍ପିଅନ୍ଶିପ୍ର ତୃତୀୟ ଦିନରେ ଓଡ଼ିଶାକୁ ଦୁଇଟି ପଦକ ମିଳିଛି। ଚାମ୍ପିଅନ୍ଶିପ୍ରେ ବୁଧବାର ଜୟନ୍ତୀ ବେହେରା ବ୍ୟକ୍ତିଗତ ଦ୍ୱିତୀୟ ତଥା ରାଜ୍ୟ ପାଇଁ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୪୦୦ ମିଟର ମହିଳା ଟି-୪୭ ବର୍ଗରେ ସେ ୧:୦୦:୪୨ ସେକେଣ୍ଡ୍ ସହ ପ୍ରଥମ ସ୍ଥାନରେ ରହିଥିଲେ। ଏହା ପୂର୍ବରୁ ଗତକାଲି ସେ ମହିଳା ଟି-୧୭ ଶହେ ମିଟର ଦୌଡ଼କୁ ୧୨.୯୨ ସେକେଣ୍ଡ୍ ସମୟରେ ଅତିକ୍ରମ କରି ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ରାଜ୍ୟ ପାଇଁ ତୃତୀୟ ଦିନ ଦିନର ପ୍ରଥମ ପଦକଟି ଦେବବ୍ରତ ବେହେରା ୪୦୦ ମିଟର ପୁରୁଷ ଟି-୧୧ ବର୍ଗରେ ଜିତିଥିଲେ। ଦେବବ୍ରତ ନିଜ ଗାଇଡ୍ ରନର୍ ସାଗର କୁମାର ସ୍ୱାଇଁଙ୍କ ସହିତ ରେସ୍କୁ ୧:୦୩:୫୨ ସେକେଣ୍ଡ୍ ସମୟରେ ଅତିକ୍ରମ କରି ଦ୍ୱିତୀୟ ସ୍ଥାନରେ ରହିବା ସହ ରୌପ୍ୟ ପଦକ ଜିତିଥିଲେ। ଚାମ୍ପିଅନ୍ଶିପ୍ରେ ଓଡ଼ିଶା ବର୍ତ୍ତମାନ ସୁଦ୍ଧା ୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ୍ ପଦକ ସମେତ ମୋଟ ୫ଟି ପଦକ ଜିତିଛି।
ଚାମ୍ପିଅନ୍ଶିପ୍ର ତୃତୀୟ ଦିନ ବ୍ୟସ୍ତବହୁଳ ଥିଲା। କିଟ୍ ଗ୍ରାଉଣ୍ଡ୍ରେ ସକାଳ ସେସନ୍ରେ ଛଅଟି ବର୍ଗରେ ମହିଳା ଓ ପୁରୁଷ ଡିସ୍କସ୍ ଥ୍ରୋ’ ଇଭେଣ୍ଟ୍ ଅନୁଷ୍ଠିତ ହୋଇଥିବା ବେଳେ କଳିଙ୍ଗ ଷ୍ଟାଡିୟମ୍ରେ ସନ୍ଧ୍ୟା ସେସନ୍ରେ ତିନିଟି ବର୍ଗରେ ପୁରୁଷ ୫୦୦୦ ମିଟର, ତିନିଟି ବର୍ଗରେ ପୁରୁଷ ଲଙ୍ଗ୍ଜମ୍ପ୍ ଇଭେଣ୍ଟ୍ ଅନୁଷ୍ଠିତ ହୋଇଥିଲା। ସେହିପରି କଳିଙ୍ଗ ଷ୍ଟାଡିୟମ୍ ଥ୍ରୋ ଗ୍ରାଉଣ୍ଡ୍ରେ ୫ଟି ବର୍ଗରେ ପୁରୁଷ ଏବଂ ଗୋଟିଏ ବର୍ଗରେ ମହିଳା ଶଟ୍ପୁଟ୍ ଇଭେଣ୍ଟ୍ ହୋଇଥିଲା। ସେହିପରି ସକାଳ ସେସନ୍ରେ ଦୁଇଟି ବର୍ଗରେ ପୁରୁଷ ଡିସ୍କସ୍ ଥ୍ରୋ ଅନୁଷ୍ଠିତ ହୋଇଥିଲା। କିଟ୍ ଗ୍ରାଉଣ୍ଡ୍ରେ ଟୋକିଓ ପାରାଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ସୁନୀଲ୍ ଅନ୍ତିଲ୍ କିଟ୍ ଗ୍ରାଉଣ୍ଡ୍ରେ ଜାଭେଲିନ୍ ଥ୍ରୋ’ର ନିଜ ବର୍ଗ (ଏଫ୍-୬୪)ରେ ଭାଗ ନେଇଥିଲେ।
କଳିଙ୍ଗ ଷ୍ଟାଡିୟମ୍ରେ ଅନନୁଷ୍ଠିତ ଉତ୍ସବରେ ଇଣ୍ଡିଆନ୍ ଅଏଲ୍, ବିଭିନ୍ନ ରାଜ୍ୟର ପାରା ସ୍ପୋର୍ଟ୍ସ ଆସୋସିଏସନ୍ର କର୍ମକର୍ତ୍ତା ଓ ଓସିଏ ସଭାପତି କୃତୀ ପ୍ରତିଯୋଗୀଙ୍କୁ ପଦକ ପ୍ରଦାନ କରିଥିଲେ। ଆଜିର ପ୍ରତିଯୋଗିତାରେ ୨୦୧୮ ଏସିଆନ୍ ବ୍ରୋଞ୍ଜ୍ ପଦକ ବିଜେତା ଦିଲ୍ଲୀର ନିଧି ମିଶ୍ର ଷ୍ଟାର୍ ଆଥ୍ଲେଟ୍ ଥିଲେ। ୩ଟି ବିଭାଗ ୧୦୦ ମି., ଡିସ୍କସ୍ ଓ ଶଟ୍ପୁଟ୍ ଥ୍ରୋର ଟି-୧୧/ଏଫ୍-୧୧ ବର୍ଗରେ ସେ ତିନିଟି ସ୍ୱର୍ଣ୍ଣ ପଦକ ଜିତିଥିଲେ। ତାଙ୍କୁ ସ୍ୱର୍ଣ୍ଣପଦକଗୁଡ଼ିକ କେରଳ ପାରା ସ୍ପୋର୍ଟ୍ସ ଆସୋସିଏସନ୍ ସମ୍ପାଦକ ଶଶୀଧରନ୍ ପ୍ରଦାନ କରିଥିଲେ। ସେହିପରି ଆଜିର ଅନ୍ୟ ଷ୍ଟାର୍ ଆଥ୍ଲେଟ୍ ଥିଲେ ଟି-୪୭ ବର୍ଗର ୧୦୦ ମି.ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ଜୟନ୍ତୀ ବେହେରା।